ହରିଆଣାରେ କଂଗ୍ରେସକୁ ଝଟକା। ଦଳୀୟ ବିଧାୟକ କୁଲଦୀପ ବିଷ୍ନୋଈ ଦେଲେ ଚକମା। 

152

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନରେ ହରିଆଣାର ଫଳାଫଳ ବେଶ ଆଶ୍ଚର୍ଯ୍ୟକର ରହିଛି । ଏଠାରେ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟକା । ଦଳକୁ ଏହି ଝଟକା ରାହୁଲ ଗାନ୍ଧୀଙ୍କ ବେଶ ଘନିଷ୍ଠ କୁହାଯାଉଥିବା କୁଲଦୀପ ବିଷ୍ନୋଈଙ୍କ ଦ୍ୱାରା ମିଳିଛି । ତାଙ୍କ ବିଦ୍ରୋହୀ ଆଭିମୁଖ୍ୟ ଦଳ ପାଇଁ ଏଭଳି ଭାରିପଡିଛି ଯେ, ପୂର୍ବ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ନେତା ଅଜୟ ମାକନ ନିର୍ବାଚନରେ ହାରିଯାଇଛନ୍ତି । କଡା ମୁକାବିଲା ଭିତରେ ବିଜେପି ସମର୍ଥିତ ନିର୍ଦଳୀୟ ପ୍ରାର୍ଥୀ କାର୍ତିକେୟ ଶର୍ମା ବାଜି ମାରିନେଇଛନ୍ତି ।

ରାଜ୍ୟସଭା ନିର୍ବାଚନ ପାଇଁ ହରିଆଣାରେ ବିଜେପି ଓ କଂଗ୍ରେସ ମଧ୍ୟରେ ବେଶ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଛି । ହରିଆଣାରେ ୨ଟି ରାଜ୍ୟସଭା ଆସନ ପାଇଁ ୩ଜଣ ପ୍ରାର୍ଥୀ ରେସରେ ଥିଲେ । ଏଥିରୁ ଗୋଟିଏ ଆସନ ବିଜେପି ପାଇଁ ପୂର୍ବରୁ ଧାର୍ଯ୍ୟ ରହିଥିଲା  । ଅନ୍ୟ ସିଟ୍ ପାଇଁ ରେସ୍ରେ ଥିଲେ କଂଗ୍ରେସର ଅଜୟ ମାକନ ଓ ନିର୍ଦଳୀୟ ନେତା କାର୍ତ୍ତିକେୟ ଶର୍ମା । କଂଗ୍ରେସ ପାଖରେ ସଂଖ୍ୟାବଳ ଥିଲା । ସେପଟେ କାର୍ତିକେୟ ଶର୍ମାଙ୍କୁ ସମର୍ଥନ କରୁଥିଲା ବିଜେପି । ଫଳାଫଳ ପାଇଁ ଡ୍ରାମା ମଧ୍ୟ ରାତି ଯାଏ ଜାରି ରହିଲା । ରାତି ୨ଟାରେ ହରିଆଣା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଟୁଇଟ୍ କରି ରାଜ୍ୟସଭା ଫଳାଫଳ ବିଷୟରେ ଜଣାଇଥିଲେ । ଏହି ନିର୍ବାଚନରେ ଲଢେଇ ବେଶ ରୋମାଞ୍ଚକର ଦେଖିବାକୁ ମିଳିଛି ।

ଆସନ୍ତୁ ଦେଖିବା ହରିଆଣାରେ ରାଜ୍ୟସଭା ନିର୍ବାଚନର ପ୍ରକ୍ରିୟା ।

ହରିଆଣା ରାଜ୍ୟସଭା ନିର୍ବାଚନ 

– ରାଜ୍ୟସଭାରେ ଗୋଟିଏ ଭୋଟର ମୂଲ୍ୟ ୧୦୦ଅଙ୍କ ଭାବେ ଧରାଯାଏ

– ହରିଆଣାରେ ମୋଟ ୯୦ଜଣ ବିଧାୟକ ଅଛନ୍ତି 

– ଜଣେ ବିଧାୟକ ଭୋଟ ଦେଇନାହାଁନ୍ତି

– ଗୋଟିଏ ଭୋଟକୁ ଅବୈଧ ଭାବେ ଘୋଷଣା

– ମୋଟ ଭୋଟ ସଂଖ୍ୟା ୮୮ ରହିଲା

– ମୋଟ ଭୋଟ ମୂଲ୍ୟ ୮୮୦୦ 

– ୨ଟି ଆସନ ପାଇଁ ନିର୍ବାଚନ 

– ୩ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ 

– ବିଜୟୀ ହେବା ପାଇଁ ପ୍ରାର୍ଥୀଙ୍କୁ ୨୯୩୪ ଅଙ୍କର ଭୋଟ ଆବଶ୍ୟକ 

– କାର୍ତ୍ତିକେୟ ଶର୍ମାଙ୍କୁ ୨୯୬୬ ଭୋଟ ମିଳିଛି 

– ଅଜୟ ମାକନଙ୍କୁ ୨୯୦୦ ଭୋଟ ମିଳିଛି 

କଂଗ୍ରେସ ପାଖରେ ପୂର୍ଣ୍ଣ ସଂଖ୍ୟାବଳ ରହିଥିଲା । ହରିଆଣାରେ ୩୧ ଜଣ କଂଗ୍ରେସ ବିଧାୟକବି ଅଛନ୍ତି । ଆଉ ଜିତିବା ପାଇଁ ୩୧ ବିଧାୟକଙ୍କ ଭୋଟ ବି ଆବଶ୍ୟକ ଥିଲା । ହେଲେ ଶେଷ ମୁହୂର୍ତ୍ତରେ କୁଲଦୀପ ବିଷ୍ନୋଈ ଚକମା ଦେଇଦେଲେ । ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ବଦଳରେ ବିଜେପି ସମର୍ଥିତ ନିର୍ଦଳୀୟ ପ୍ରାର୍ଥୀ କାର୍ତିକେୟ ଶର୍ମାଙ୍କୁ ଦେଇଦେଲେ ନିଜ ଭୋଟ । ଆଉ ତାଙ୍କର ଏହି ବିଦ୍ରୋହୀ ଆଭିମୁଖ୍ୟ ପାଇଁ ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି ।