କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସେରଗଡ଼ ପୋଲିସକୁ ବଡ଼ ସଫଳତା । ବଡ଼ ଧରଣର ଲୁଟର ପର୍ଦ୍ଦାଫାସ । ସେରଗଡ଼ର ପାଣିଗ୍ରାହୀ ଆସୋସିଏଟସ ବ୍ୟବସାୟିକ ପ୍ରତିଷ୍ଠାନରୁ ଗତ ୫ ତାରିଖ ବିଳମ୍ବିତ ରାତିରେ ହୋଇଥିବା ବଡ଼ ଧରଣର ଚୋରି ହୋଇଥିଲା । ଦୁର୍ବୃତମାନେ ଦୋକାନରୁ ୩୦ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ଓ ହାର୍ଡଡିସ୍କ ଲୁଟି ନେଇଥିଲେ । ପୋଲିସ୍ ଛାନଭିନ୍ କରି ଏଥିରେ ସଂପୃକ୍ତି ଗ୍ୟାଙ୍ଗ ଲିଡର ସମେତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ୧୦୦ରୁ ଅଧିକ ମୋବାଇଲ, ଦୁଇଟି ସ୍ମାର୍ଟ ୱାଚ୍, ଦୁଇଟି ଲାପଟପ୍, ଦୁଇଟି ବ୍ଲୁଟୁଥ ଇୟର ଫୋନ, ଗୋଟିଏ ଜେରକ୍ସ ମେସିନ୍, ସିସି କ୍ୟାମେରା, ଭିଭିଆର, ସେଟଅପ୍ ବକ୍ସ ଓ ଗୋଟିଏ ପଲସର ବାଇକ ଜବତ କରିଛି ପୋଲିସ ।

Advertisment

ତେବେ ଏହି ଲୁଟରେ ସଂପୃକ୍ତ ଥିବା ଚାରି ଜଣଙ୍କ ମଧ୍ୟରୁ ଆହୁରି ଦୁଇଜଣ ଫେରାର ଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତି ଆରକ୍ଷୀ ଅଧୀକ୍ଷକ ପିକେ ଦଳାଇ । ଚୋରି ମାମଲାର ଖୋଳତାଡ଼ କରୁ କରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି । ଗିରଫ ଅଭିଯୁକ୍ତମାନେ ଅନ୍ତର୍ଜାତୀୟ ଚୋର ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି । ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ଦିଲୁ ଓରଫ ଦିଲ୍ଲୀପ ବିଶୋୟୀ ନାଁରେ କିଟ୍ କଲେଜର ଜଣେ ପ୍ରଫେସରଙ୍କୁ ଅପହରଣ କରିଥିବାର ସଙ୍ଗୀନ ଅଭିଯୋଗ ରହିଛି ।