କାଳ ହେଲା ଅଦିନିଆ ବର୍ଷା । ବିଲରେ ଭାସିଲା ପାଚିଲା ଧାନ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଫସଲ ଉଜାଡ଼ିଦେଲା ବର୍ଷା

91

କନକ ବ୍ୟୁରୋ: ବର୍ତ୍ତମାନର ଲଗାଣ ବର୍ଷାରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଦୁଇଦିନ ଧରି ବର୍ଷା ହେଉଥିବାରୁ ପାଚିଲା ଧାନ ବିଲରେ ପାଣି ଜମି ରହିଛି । ଅନେକ ସ୍ଥାନରେ ପାଚିଲା ଧାନ ପାଣିରେ ଶୋଇପଡିଛି । କେତେକ ସ୍ଥାନରେ ଧାନ କଟା ହୋଇଥିବା ବେଳେ ବର୍ଷା ହେବାରୁ କଟା ଧାନ ସବୁ ପାଣିରେ ଭାସୁଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଫସଲ ଉଜୁଡି ଯିବାକୁ ବସିଛି । ଗତ ୨୪ ଘଣ୍ଟାରେ ଭଞ୍ଜନଗର ଉପଖଣ୍ଡରେ ସର୍ବାଧିକ ବର୍ଷା ୧୧୯ ମିଲିମିଟର, ବେଲଗୁଣ୍ଠାରେ ୧୨୪ ମିଲିମିଟର, ଜଗନ୍ନାଥପ୍ରସାଦରେ ୮୫ ମି.ମି, ବୁଗୁଡାରେ ୧୧୩ମିମି, ଆସିକାରେ ୧୩୫.୫ ମିମି,  ଧରାକୋଟରେ ୧୨୫ମିମି, ସେରଗଡ଼ ୧୭୭ ଓ ସୋରଡ଼ାରେ ୧୧୦ ମିମି ବର୍ଷା ରେକର୍ଡ଼ କରାଯାଇଛି । ବର୍ଷାର ପରିମାଣ ଯଦି ଆଗକୁ ନକମେ ତେବେ ଚାଷୀଙ୍କ ପରିଶ୍ରମ ଏଇ ବର୍ଷା ପାଣିରେ ଭାସି ଯିବାର ସମ୍ଭାବନା ରହିଛି ।

ଏବେ ବର୍ଷ ହୋଇନଥିଲେ କଟା ହୋଇଥିବା ଧାନ ଚାଷୀଙ୍କ ଖଳାକୁ ଆସିଥାନ୍ତା । ଧାନ ଅମଳ କରି ଚାଷୀ ବର୍ଷକ ପାଇଁ ଖାଦ୍ୟ ରଖିବା ପରେ ବଳକା ଧାନକୁ ବିକି ଦୁଇ ପଇସା ରୋଜଗାର କରିଥାନ୍ତେ । ହେଲେ ଏବେ ଆଉ ଧାନ ଖଳାକୁ ଆସିବ ବୋଲି ଭାବି ପାରୁନାହାନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଚାଷୀ । ଶହ ଶହ ଏକର ଜମିରେ ଧାନ ଓଦା ହୋଇଯିବାରୁ ଅମଳକୁ ନେଇ ଚାଷୀ ଆଶଙ୍କା କରିଛନ୍ତି ।

କେବଳ ପୋଲସରା ନୁହେଁ ସାରା ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିଛି । ଲଘୁଚାପ ବର୍ଷା ଚାଷୀଙ୍କ ଆଖିର ଲୁହ ହୋଇଛି । ଶହ ଶହ ଏକର ଜମିରେ ବର୍ଷା ପାଣି ବହୁଛି । ଗୁରୁବାର ଠାରୁ ବର୍ଷା ଲାଗିରହିଥିବାରୁ  ଚାଷ କାମ ପ୍ରଭାବିତ ହୋଇଛି । ଜିଲ୍ଲାର ଭଞ୍ଜନଗର, ବୁଗୁଡା, ସେରଗଡ, ସୋରଡା ଓ ବେଲଗୁଣ୍ଠାର ଚାଷୀ ଧାନ କାଟି ଜମିରେ ପକାଇ ଥିବା ବେଳେ ସେଥିରେ ବର୍ଷା ପାଣି ମାଡିଯାଇଛି ।

ଗଞ୍ଜାମ ଭଳି ଗଜପତି ଜିଲ୍ଲାରେ ମଧ୍ୟ ଧାନ ଚାଷକୁ ପ୍ରଭାବିତ କରିଛି ଲଗାଣ ବର୍ଷା । ୪୮ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଜାରି ରହିଥିବାରୁ ପାଚିଲା ଧାନ ବିଲରେ ପାଣି ଜମି ରହିଛି । ଧାନଗଛ ସବୁ ବିଲରେ ପାଣିରେ ଶୋଇ ପଡିଛି । ଚାଷୀ ଧାନକୁ ଆଡେଇ ବିଲରୁ ପାଣି କାଟିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଚଳିତ ବର୍ଷ ଖରିଫ ଚାଷ ଆରମ୍ଭରୁ ହିଁ ପ୍ରାକୃତିକ ବିପର୍ଯ୍ୟୟ ଚାଷ କାମରେ ବାଧା ସୃଷ୍ଟି କରିଥିଲା । ନିଅଣ୍ଟିଆ ବର୍ଷା ପାଇଁ ତଳି ବୁଣା କାର୍ଯ୍ୟ  ବିଳମ୍ବ ହୋଇଥିଲା । ପରବର୍ତ୍ତୀ ସମୟରେ ଜଳାଭାବ ଯୋଗୁଁ ଅନେକ ଜମି ପଡିଆ ପଡିଥିଲା । କେନାଲ ଓ ନଦୀ ପାଣିକୁ ବ୍ୟବହାର କରି ଯେତିକି ଚାଷ ହୋଇଥିଲା ସେଇ ଧାନ ଅମଳ ବେଳକୁ ତାକୁ ଧୋଇ ନେବାକୁ ଆସିଛି ଲଘୁଚାପ ବର୍ଷା ।