ସୁରକ୍ଷାରେ ଢିଲା ଓ ପାଟ୍ରୋଲିଂରେ ଫିକ୍ସିଂ : ଗହୀରମଥାରେ ଅସୁରକ୍ଷିତ ଅଲିଭରିଡଲେ, ୪ ମାସରେ ମଲେଣି ୮୨୪ କଇଁଛ

139

କନକ ବ୍ୟୁରୋ : ସୁରକ୍ଷାରେ ଢିଲା ଓ ପାଟ୍ରୋଲିଂରେ ଫିକ୍ସିଂ ଯୋଗୁଁ ଗହୀରମଥା ଅଲିଭ୍‌ରିଡ୍‌ଲେଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି। ଏହି କଇଁଛଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ, ବେଆଇନ ଟ୍ରଲର ଚଳାଚଳ ରୋକା ଯାଇପାରୁନି। ଟ୍ରଲରଗୁଡ଼ିକ ନିଷିଦ୍ଧାଂଚଳରେ ମାଛ ମାରିବା ଯୋଗୁଁ କଇଁଛ ମରି ପଡ଼ୁଛନ୍ତି। ଗତ ନଭେମ୍ବର ୧ରୁ ଫେବୃଆରି ୨୦ ତାରିଖ ସୁଦ୍ଧା ୮୨୪ଟି କଇଁଛ ପ୍ରାଣ ହରାଇଥିବା ବନ ବିଭାଗ ରେକର୍ଡ କହୁଛି। ହେଲେ, ବେସରକାରୀ ତଥ୍ୟ ଅନୁଯାୟୀ, ଏହି ସଂଖ୍ୟା ୫ହଜାରରୁ ଅଧିକ ହେବ ବୋଲି କୁହାଯାଉଛି।

ସୂଚନାଥାଉ କି, ୧୯୭୫ରୁ ଗହୀରମଥା ଉପକୂଳର ୧୦କିମି ବାଲୁକା ଶଯ୍ୟାରେ ଏହି ବିରଳ ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ତାଦାନ ପ୍ରକ୍ରିୟା ସାମ୍ନାକୁ ଆସିଥିଲା। ୧୯୯୭ ସେପ୍ଟେମ୍ବର ୨୭ରେ ସରକାର ଗହୀରମଥାକୁ ରାଜ୍ୟର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ। ଏଥିସହ ଗହୀରମଥା ସମୁଦ୍ରକୂଳଠାରୁ ୨୦ କିମି ଯାଏ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ରହିଛି। ଏହାବାଦ୍‌ ଏହି କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। ଏହାସତ୍ତ୍ବେ ଗହୀରମଥାରେ ଟ୍ରଲରଗୁଡ଼ିକର ଅବାଧ ଚଳାଚଳ ବଢି ଚାଲିଛି। ବନବିଭାଗର ରିପୋର୍ଟ ମୁତାବକ ଗହୀରମଥାରେ ୨୦୧୪-୧୫ରେ ୧୦୭୪, ୨୦୧୫-୧୬ରେ ୧୭୧୧, ୨୦୧୬-୧୭ରେ ୧୨୪୭, ୨୦୧୭-୧୮ରେ ୭୭୮, ୨୦୧୮-୧୯ରେ ୧୦୧୫ ଅଲିଭରିଡଲେ ମୃତ୍ୟୁବରଣ କରିଥିଲେ। ଚଳିତ କଇଁଛ ଋତୁର ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ୫୫୬ ମାଈ ଓ ୨୬୮ ପୁରୁଷ କଇଁଛ ମୃତ୍ୟୁବରଣ କରିଛନ୍ତି।

କଇଁଛ ଋତୁ ଶେଷ ହେବାକୁ ୩ ମାସରୁ ଅଧିକ ସମୟ ଥିବା ବେଳେ ମାତ୍ର ୨ ମାସ ୨୦ ଦିନରେ ସରକାରୀ ରିପୋର୍ଟରେ ୮୨୪ olive ridleyଅଲିଭରିଡଲେଙ୍କ ମୃତ୍ୟୁ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ମାତ୍ର ବେସରକାରୀ ସୂତ୍ର ଅନୁଯାୟୀ, ଏ ବର୍ଷ କଇଁଛ ଋତୁରେ ଏଯାଏ ୫ହଜାରରୁ ଅଧିକ କଇଁଛ ମୃତ୍ୟୁବରଣ କରି ସାରିଲେଣି। ବରୁଣେଇ ମୁହାଣ, ପେଣ୍ଠ, ସାତଭାୟା, ଗହୀରମଥା, ଏକକୂଳା, ବାବୁବାଲି, ତାଳଚୁଆଠାରେ ମଲା କଇଁଛ କୂଳରେ ଲାଗିବା ସହ ପରିବେଶକୁ ଗନ୍ଧମୟ କରିଛି। ଅଲିଭରିଡଲେଙ୍କ ସୁରକ୍ଷା ଦାୟିତ୍ବରେ ଥିବା ବନବିଭାଗ ଟିମ୍‌ ପାଟ୍ରୋଲିଂ ବାହାରିବା ପୂର୍ବରୁ ଟ୍ରଲର ମାଲିକ ଓ ଡ୍ରାଇଭରଙ୍କୁ ସୂଚନା ଦେଉଥିବା ଭଳି ଅଭିଯୋଗ ହୋଇ ଆସୁଛି। ଏହାବାଦ୍‌ କିଛି ନିର୍ଦ୍ଦିଷ୍ଟ ଟ୍ରଲର ମାଲିକଙ୍କ ସହ କେତେକ କର୍ମଚାରୀ ମାସିକିଆ ବଟି କାରବାରରେ ଲିପ୍ତ ଥିବା କୁହାଯାଉଛି। ଗହୀରମଥା ରେଂଜ୍‌ ଅଫିସର ଦେବାଶିଷ ଭୋଇ ଅଭିଯୋଗକୁ ସ୍ବୀକାର କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା କହିଛନ୍ତି।