ମିଛ କହୁଥିଲା ତାଲିବାନ, ସାମନାକୁ ଆସିଲା ପ୍ରକୃତ ରୂପ । ଆଫଗାନିସ୍ତାନକୁ ଦଖଲ କରିବା ପରେ ଜାରି କଲା ପ୍ରଥମ ଫତୱା ।

ହେରାତ ପ୍ରାନ୍ତର କୌଣସି ବିଶ୍ୱବିଦ୍ୟାଳୟରେ ଏକାଠି ପାଠ ପଢ଼ିପାରିବେ ନାହିଁ ପୁଅ ଓ ଝିଅ

1,574

କନକ ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଯାହା କହୁଥିଲେ, ତାହା ମିଛ ପ୍ରମାଣିତ ହୋଇଛି । ଆଉ ଏବେ ପଦାକୁ ଆସୁଛି ତାଲିବାନୀଙ୍କ ଅସଲ ଚେହେରା । ଆଫଗାନିସ୍ତାନ ଅଧିକାର କରିବା ପରେ ପ୍ରଥମ ଫତୱା ଜାରି କରିଛି ତାଲିବାନ । ବିଶ୍ୱବିଦ୍ୟାଳୟରେ ପୁଅ ଓ ଝିଅମାନେ ଏକାଠି ପାଠ ପଢ଼ିପାରିବେ ନାହିଁ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ଫତୱା ଜାରି କରାଯାଇଛି । ଫତୱାରେ କୁହାଯାଇଛି, ଯେ ଶିକ୍ଷାନୁଷ୍ଠାନରେ ପୁଅ ଓ ଝିଅ ଏକାଠି ପାଠ ପଢ଼ିବା ସବୁ ଅନର୍ଥର ମୂଳ । ଏହି ଫତୱା ଜାରି ହେବା ପୂର୍ବରୁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର ପ୍ରଫେସର , ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ ତାଲିବାନ ଅଧିକାରୀମାନଙ୍କ ମଧରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ନିର୍ଦ୍ଦେଶ ସମ୍ପର୍କରେ ତାଲିବାନ ପକ୍ଷରୁ ଜଣାଇ ଦିଆଯାଇଛି । ଗତ ରବିବାର ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅଧିକାର କରି ନେଇଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ ମଙ୍ଗଳବାର ତାଲିବାନ ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସରିଆ କାନୁନ ଅଧିନରେ ମହିଳାମାନଙ୍କୁ ପାଠ ପଢ଼ିବା ଓ କାମ କରିବା ପାଇଁ ସୁଯୋଗ ଦିଆଯିବ ।