ଇଂଲଣ୍ଡରେ ବଢୁଛି ଭାରତୀୟଙ୍କ ଆଧିପତ୍ୟ, ଚାଲିଛି ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ

130

କନକବ୍ୟୁରୋ:ଆମ ଦେଶକୁ ବର୍ଷ ବର୍ଷ ଧରି ଶାସନ କରିଥିବା ଇଂଲଣ୍ଡରେ ବଢୁଛି ଭାରତୀୟଙ୍କ ଆଧିପତ୍ୟ। ଆଜି ୟୁକେରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଉ ଏହି ନିର୍ବାଚନରେ ୧୯ ଜଣ ଭାରତୀୟ ବଂଶଧର ସାଂସଦ ଭାବେ ନିର୍ବାଚନ ଲଢୁଛନ୍ତି। ଉଭୟ ଶାସନରେ ଥିବା କଞ୍ଜରଭେଟିଭ୍ ପାର୍ଟି ଏବଂ ବିରୋଧୀ ଲେବର ପାର୍ଟି ପକ୍ଷରୁ ଭାରତୀୟ ବଂଶଧରମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଭାରତୀୟ ବଂଶଧର ତଥା ୟୁକେର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଦଳ କଞ୍ଜରଭେଟିଭ୍ ପାର୍ଟିରେ ୯ ଜଣ ଭାରତୀୟ ବଂଶଧର ନିର୍ବାଚନ ଲଢୁଛନ୍ତି।

ସେହିପରି ଏଥର ସରକାର ଗଢିବାର ଅଧିକ ସୁଯୋଗ ଥିବା ଲେବର ପାର୍ଟିରେ ୧୦ ଜଣ ଭାରତୀୟ ବଂଶଧର ନିର୍ବାଚନ ଲଢୁଛନ୍ତି। ୬୫୦ ସଦସ୍ୟ ବିଶିଷ୍ଟ ୟୁକେ ସଂସଦରେ ଭାରତୀୟ ବଂଶଧରଙ୍କ ପ୍ରଭାବ ବଢିବାରେ ଲାଗିଛି। ଖ୍ରିଷ୍ଟିଆନ ବହୁଳ ଇଂଲଣ୍ଡରେ ହିନ୍ଦୁ ଧର୍ମାବଲମ୍ବୀ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ଏହାର ଏକ ଜ୍ବଳନ୍ତ ଉଦାହରଣ। ୨୦୨୨ରେ କଞ୍ଜରଭେଟିଭ୍ ପାର୍ଟିର ବୋରିସ ଜନସନଙ୍କୁ ହରାଇ ଋଷି ସୁନକ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଏଥର ଋଷି ସୁନକଙ୍କୁ ପରାଜୟର ସାମ୍ନା କରିବାକୁ ପଡିପାରେ। ହେଲେ ଉଭୟ ପାର୍ଟିରେ ଭାରତୀୟ ବଂଶଧର ଥିବାରୁ ଯେଉଁ ଦଳ ବିଜୟୀ ହେଲେ ବି ଭାରତୀୟଙ୍କୁ ଭଲ ପଦପଦବୀ ମିଳିବ ବୋଲି କୁହାଯାଉଛି।