କେୟାର ରେଟିଂସର ସଦ୍ୟତମ ରିପୋର୍ଟରେ ଓଡ଼ିଶା ପାଇଁ ଉତ୍ସାହ । ସାରା ଦେଶରେ ବିକାଶ କାମରେ ଓଡ଼ିଶା ୫ନମ୍ବର

ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପଞ୍ଚମରେ ଓଡ଼ିଶା

365

କନକ ବ୍ୟୁରୋ : ଦେଶରେ ଗତ କିଛି ବର୍ଷ ହେବ ବିକାଶମୂଳକ କାର୍ଯ୍ୟ ବଢିବାରେ ଲାଗିଛି । କେବଳ ଆମ ରାଜ୍ୟ ନୁହେଁ ବରଂ ସାରା ଦେଶରେ ବିକାଶ ହେଉଥିବାର ନଜର ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଦେଶର ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ତାମିଲନାଡୁ, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ ରହିଛନ୍ତି। କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମ ବଙ୍ଗ ଓ ଛତିଶଗଡ଼ ଠାରୁ ଓଡ଼ିଶା ଉନ୍ନତ ପ୍ରଦର୍ଶନ କରିଛି। କେୟାର ରେଟିଂସର ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ୭୯ଟି ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି। ୧୨୯ଟି ପ୍ରକଳ୍ପ ସହିତ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ରହିଛି।  ରିପୋର୍ଟ ପ୍ରସ୍ତୁତ କରିବା ବେଳେ କେବଳ ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବଡ଼ ପ୍ରକଳ୍ପଗୁଡ଼ିକୁ ବିଚାରକୁ ନିଆଯାଇଛି।

 

ଏବେ ଦେଶରେ ମୋଟ ୧୩୬୧ଟି ବିକାଶମୂଳକ ପ୍ରକଳ୍ପ କାମ ଜାରି ରହିଛି। ଏହି ସବୁ ପ୍ରକଳ୍ପରେ ୧୬.୭୮ ଲକ୍ଷ କୋଟି ଟଙ୍କା ଖର୍ଚ ହେବ ବୋଲି ପ୍ରାରମ୍ଭିକ ସ୍ତରରେ ଆକଳନ କରାଯାଇଥିଲା। କିନ୍ତୁ ପରବର୍ତୀ ସମୟରେ ଅନୁଧ୍ୟାନ କରିବା ପରେ ଖର୍ଚ ପରିମାଣ ୨୦.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ମୋଟ ପ୍ରକଳ୍ପ ମଧ୍ୟରୁ ୪୦୦ଟି ବଡ଼ ପ୍ରକଳ୍ପ ରହିଛି ଯେଉଁଥିରେ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ ହେବ। ୩୮୬ଟି ପ୍ରକଳ୍ପର କାମ ନିର୍ଧାରିତ ଯୋଜନା ଅନୁସାରେ ଆଗେଇ ଚାଲିଛି। ୨୯୬ଟି ପ୍ରକଳ୍ପର କାମ ବିଳମ୍ବିତ ହୋଇଛି। ୩୫୮ଟି ପ୍ରକଳ୍ପର ଖର୍ଚ ବଢ଼ିଥିବା ବେଳେ ୬୬ଟି ପ୍ରକଳ୍ପର ଉଭୟ ଖର୍ଚ ଓ ଅବଧି ବଢ଼ିଛି। ଦେଶର ୧୬ଟି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଥିବା ବଡ଼ ପ୍ରକଳ୍ପଗୁଡ଼ିକୁ ରିପୋର୍ଟ ପାଇଁ ବିଚାରକୁ ନିଆଯାଇଛି।

 

ମୋଟ ପ୍ରକଳ୍ପ ମଧ୍ୟରୁ ୮୪% ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଛି। ସେହି କ୍ଷେତ୍ରଗୁଡ଼ିକ ହେଉଛି ରେଳ (୩୨%), ସଡ଼କ (୧୮%), ଶକ୍ତି(୧୮.୭୦%), ପେଟ୍ରୋଲିୟମ୍ (୧୧%) ଓ କୋଇଲା (୪.୫%)। ରିପୋର୍ଟରେ କୁହାଯାଇଛି ଯେ, ୨୦୧୪ ଏପ୍ରିଲରୁ ୨୦୧୮ ଅଗଷ୍ଟ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ସଂଖ୍ୟା ୧୩୬୧ ହୋଇଯାଇଛି। ଚାରି ବର୍ଷ ପୂର୍ବେ ଏଭଳି ପ୍ରକଳ୍ପ ସଂଖ୍ୟା ୭୨୭ ଥିଲା। ହାରାହାରି ୨୦% ହାରରେ ପ୍ରକଳ୍ପ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ ଏପ୍ରିଲ୍-ଜୁଲାଇ ମଧ୍ୟରେ ୩୪ଟି ପ୍ରମୁଖ ପ୍ରକଳ୍ପର କାମ ଶେଷ ହୋଇଛି। ବିଶେଷ କରି ଇସ୍ପାତ, ଶକ୍ତି, ଆଣବିକ ଶକ୍ତି, ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ୍ସ ଓ ସହରାଞ୍ଚଳ ବିକାଶ ଭିତ୍ତିକ ପ୍ରକଳ୍ପଗୁଡ଼ିକର କାମ ଶେଷ ହୋଇଛି। ତେବେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ କୋଇଲା କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ପ୍ରଭାବିତ ହୋଇଥିବା ବେଳେ ରେଳ ଓ ଶକ୍ତି ପ୍ରକଳ୍ପଗୁଡ଼ିକ ଆବଶ୍ୟକ ପାଣ୍ଠିର ଅଭାବ ଭଳି ସମସ୍ୟା ସାମ୍ନା କରୁଛନ୍ତି।