ପେଟ୍ରୋଲର ପ୍ରକୃତ ଦାମ ୪୫ ଟଙ୍କା, ହେଲେ ୧୦୬ ଟଙ୍କାରେ ହେଉଛି ବିକ୍ରି । ସରକାର ମାଲାମାଲ, ଖାଉଟି ହନ୍ତସନ୍ତ ।

141

କନକ ବ୍ୟୁରୋ : ଆପଣ ପ୍ରତିଦିନ ପେଟ୍ରୋଲ କିଣୁଥିବେ କିନ୍ତୁ ଏହି ପେଟ୍ରୋଲର ମୂଳ ଦର କେତେ ଏବଂ କେତେ ଟିକସ ଦେଉଥିବା, ତାହା ବୋଧହୁଏ ଆପଣ ଜାଣିନଥିବେ । ୧୦୬ଟଙ୍କା ଦେଇ ଗୋଟିଏ ଲିଟର ପେଟ୍ରୋଲ କିଣୁଛନ୍ତି, କିନ୍ତୁ ଏହାର ମୂଳ ଦର ହେଉଛି ୪୫ଟଙ୍କା । ଆଉ ବାକି ଟଙ୍କା ଆପଣ ଟିକସ ବାବଦରେ ଗଣୁଛନ୍ତି ।

ଚିନ୍ତା ବଢାଉଛି ତେଲ ଦର । ଟିକସ ନେବାରେ ବ୍ୟସ୍ତ ସରକାର । ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଦର ବୃଦ୍ଧି ପାଇ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୭୭ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ୧୦୩ଟଙ୍କା ୧୫ ପଇସାରେ ବିକ୍ରି ହେଉଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରକୁତ ଦରଠାରୁ ଅଢେଇ ଗୁଣ ଅଧିକ ଟଙ୍କାରେ ତେଲ କିଣୁଛନ୍ତି ଖାଉଟି । ଭୁୁବନେଶ୍ୱରର ତେଲ ଦର ଉପରେ ଟିକେ ନଜର ପକାନ୍ତୁ ।

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୬ ଟଙ୍କା ୭୭ ପଇସା
ପ୍ରକୃତ ମୂଲ୍ୟ ହେଉଛି ୪୫ଟଙ୍କା ୪୪ ପଇସା
କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ବାବଦକୁ ନେଉଛନ୍ତି ୩୨ ଟଙ୍କା ୯୦ ପଇସା
ସେହିପରି ୩୨ ପ୍ରତିଶତ ହାରରେ ରାଜ୍ୟ ସରକାର ଭାଟ ବାବଦରେ ନେଉଛନ୍ତି ୨୫ ଟଙ୍କା ୪ ପଇସା
ଡିଲର କମିଶନ ୩ଟଙ୍କା୩୯ ପଇସା

ଭୁବନେଶ୍ୱରରେ ଡିଜେଲ ଦର ୧୦୩ ଟଙ୍କା ୧୭ ପଇସା ରହିଛି
ପ୍ରକୃତ ମୂଲ୍ୟ ହେଉଛି ୪୭ଟଙ୍କା ୧୭ ପଇସା
କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ବାବଦକୁ ନେଉଛନ୍ତି ୩୧ ଟଙ୍କା ୮୦ ପଇସା
ସେହିପରି ୨୮ ପ୍ରତିଶତ ହାରରେ ରାଜ୍ୟ ସରକାର ଭାଟ ବାବଦକୁ ନେଉଛନ୍ତି ୨୨ ଟଙ୍କା ୭ ପଇସା
ଡିଲର କମିଶନ ୨ଟଙ୍କା୧୩ ପଇସା

ତେଲ ଦର ଗଣିତକୁ ହିସାବ କଲେ ଆପଣ ଯଦି ୧୦ ଲିଟର ପେଟ୍ରୋଲ ପକାଉଛନ୍ତି, ତେବେ ଆପଣଙ୍କଠାରୁ ପ୍ରାୟ ୬ଶହ ଟଙ୍କା ଟିକସ ନେଉଛନ୍ତି ସରକାର । ସେହିପରି ଯଦି ୧୦ ଲିଟର ଡିଜେଲ ପକାଉଛନ୍ତି ତେବେ ଆପଣଙ୍କଠାରୁ ୫ଶହରୁ ଅଧିକ ଟଙ୍କା ଟିକସ ନେଉଛନ୍ତି ଉଭୟ ସରକାର । ଯାହାକି ଖାଉଟିଙ୍କ ବଜେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି ।

ଅନ୍ୟପଟେ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଗଲାଣି । ତେଲ ଦର ବୃଦ୍ଧି ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ଛାତ୍ର କଂଗ୍ରେସ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା । ବର୍ଦ୍ଧିତ ଦର ପ୍ରତ୍ୟାହାର ପାଇଁ କଂଗ୍ରେସ ଦାବି କରିଛି । ପେଟ୍ରୋଲ ଓ ଡିଜେଲ ଦର ଆଗକୁ ଆହୁରି ବଢିବ ବୋଲି ଆଶଙ୍କା ଥିବାରୁ ମୁଣ୍ଡ ବିନ୍ଧାର କାରଣ ହେଉଛି ।