କନକ ବ୍ୟୁରୋ : କରୋନା କାଳରେ କେଉଁଠି ପରିବାର ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇ ସାରିଛି ତ ଆଉ କେଉଁଠି ଆତ୍ମୀୟଙ୍କୁ ସମସ୍ତଙ୍କଠୁ ଅଲଗା କରିଦେଇଛି। ଏଭଳି ଏକ ଘଟଣା ଭଞ୍ଜନଗରୁ ସାମ୍ନାକୁ ଆସିଛି। ପୁଅ ବୋହୂଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନେ କୋଭିଡ୍ ହେଲଥ୍ ସେଣ୍ଟର୍ରେ ଥିବାବେଳେ କୋଭିଡ୍ ସନ୍ଦିଗ୍ଧ ମା’ ବ୍ରହ୍ମପୁର ଏମ୍କେସିଜିରେ ଆଖି ବୁଜି ଦେଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ମୃତକ ଜଣକ ହେଲେ ହେମଲତା ମିଶ୍ର (୯୦)। ଗତମାସ ୩୦ ତାରିଖରେ ସ୍ୱାବ ନମୁନା ପରୀକ୍ଷା ପରେ ହେମଲତାଙ୍କ ପୁଅ ଓ ବୋହୂଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ତେବେ ମା’ ହେମଲତା ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ପୁଅ ଓ ବୋହୂଙ୍କ ସହ ତାଙ୍କୁ ଆସିକା ବ୍ଲକ୍ ବାବନପୁର କୋଭିଡ୍ ହେଲ୍ଥ ସେଣ୍ଟର୍ରେ ରଖାଯାଇଥିଲା।
କିନ୍ତୁ ହଠାତ୍ ହେମଲତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଗତ ୫ ତାରିଖରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ହେମଲତାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ପଜିଟିଭ୍ ଚିହ୍ନଟ ହୋଇ ନଥିରୁ ଶବ ହସ୍ତାନ୍ତର କରାଯାଇପାରିବ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି।