ଶିଶୁ ଯୌନ ଶୋଷଣ ରୋକିବାକୁ ଆଜିଠୁ ଗଡିଲା ପରୀ ଏକ୍ସପ୍ରେସ ! ଆରମ୍ଭ ହେଲା ସଚେତନତା ଅଭିଯାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

31

କନକ ନ୍ୟୁଜ : ରାଜ୍ୟରେ ଶିଶୁ ଯୌନ ଶୋଷଣ ରୋକିବାକୁ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ପରୀ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିସେଫର ମିଳିତ ସହାୟତାରେ ଆରମ୍ଭ ହୋଇଛି ଏହି ସଚେତନତା ଅଭିଯାନ । ୧୫ ଦିନରେ ରାଜ୍ୟର ୩୦ଟି ଜିଲ୍ଲାରେ ବୁଲିବ ଏହି ଏକ୍ସପ୍ରେସ୍ । ଶିଶୁ ଯୌନ ନିର୍ଯାତନା ବିରୋଧରେ ଲୋକଙ୍କୁ ସଚେତନ ବାର୍ତା ବାଣ୍ଟିବ । ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରୁ ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା ଭଳି ଖବର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି ।

ଏହାକୁ ଦୃଷ୍ଟିରେ ରଖି ‘ପରୀ ପାଇଁ କଥାଟିଏ’ର ଲୋଗୋ ଓ ଗୀତର ଶୁଭାରମ୍ଭ ହୋଇଥିଲା । ପୋଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାର ଶୁଭାରମ୍ଭ କରିଥିଲେ । ରାଜ୍ୟ ପୁଲିସ ଓ ୟୁନିସେଫ୍ ମିଳିତ ସହଭାଗିତାରେ ଏହି ଅଭିଯାନ ଚାଲିବ । ଏହା ସହିତ ଶିଶୁ ବଳାତ୍କାର ଓ ଯୌନ ନିର୍ଯାତନା ରୋକିବା ପାଇଁ ଜନତାଙ୍କୁ ସଚେତନ କରାଇବାକୁ ସୋସିଆଲ ମିଡିଆ ଓ ଗଣମାଧ୍ୟମ ଆଗେଇ ଆସିବା ଦରକାର ବୋଲି ଅନୁରୋଧ କରାଯାଇଛି ।