ଚୀନରେ କରୋନାର ଭୟାନକ ରୂପ  । ମୃତ୍ୟୁ ସଂଖ୍ୟା ୫୬୪ ଛୁଇଁଲା, ଆଖିବୁଜିଲେ ପ୍ରଥମେ କରୋନା ଭୂତାଣୁକୁ ଚିହ୍ନଟ କରିଥିବା ଡାକ୍ତର

367

କନକ ବ୍ୟୁରୋ : ଚୀନରେ ଭୟାନକ ରୂପ ନେଉଛି କରୋନା ଭୂତାଣୁ । କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୫୬୪ରେ ପହଂଚିଛି । ପ୍ରତିଦିନ ହଜାରେରୁ ଅଧିକ ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ହେଉଛନ୍ତି । କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଥିବା ଜଣାପଡିଛି । କରୋନ ସ୍ଥିତିର ମୁକାବିଲା ପାଇଁ ଉହାନରେ ୧୦ଦିନରେ ପ୍ରଥମ ଡାକ୍ତରଖାନା ନିର୍ମାଣ ହୋଇଥିଲା ।  ଏହାସହ ଆଉ ୮ଟି ହସ୍ପିଟାଲ ନିର୍ମାଣ ହେବାର ଯୋଜନା କରାଯାଇଛି । ଆଉ ଏହାରି ଭିତରେ ଚୀନର କରୋନା ସଂକ୍ରମିତ ଅଂଚଳରେ ଥିବା ୬୪୦ ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିଛି ଭାରତ ସରକାର ।

ସ୍ୱତନ୍ତ୍ର ବିମାନ ଯୋଗେ ଅତି ସତର୍କତାର ସହିତ ଚୀନରେ ଥିବା ଭାରତୀୟ ମାନଙ୍କୁ ଫେରାଯାଉଛି ବୋଲି ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ । ଏହାସହ ଆବଶ୍ୟକ ସ୍ଥଳେ ଚୀନରେ ଅଟକିଥିବା ପାକିସ୍ତାନ ନାଗରିକଙ୍କୁ ମଧ୍ୟ ଅଣାଯିବାକୁ ପ୍ରୟାସ କରାଯାଇପାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି  ।

ସେପଟେ କରୋନା ଭୂତାଣୁକୁ ପ୍ରଥମେ ଚିହ୍ନଟ କରିଥିବା ଚୀନ୍ ଡାକ୍ତରଙ୍କ ମୃତ୍ୟୁ ହୋଇଛି  । ସମ୍ପୃକ୍ତ ଡାକ୍ତର ଲି ୱେନଲିୟାଙ୍ଗ ସେହି କରେନା ଭୂତାଣୁର ଶୀକାର ହୋଇ ଆଖି ବୁଝିଛନ୍ତି  । ଲି ପ୍ରଥମେ ଡିସେମ୍ବର ୩୦ରେ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରାଇଥିଲେ  । ସ୍ଥାନୀୟ ଅଚଳର ୭ ଜଣ ରୋଗୀ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ  । ଆଉ ଏହାର ପରୀକ୍ଷା କରି ସେ କରୋନା ଭୂତାଣୁକୁ ଚିହ୍ନଟ କରିଥିଲେ  ।

ସେ ଏନେଇ ନିଜ ସହକର୍ମୀମାନଙ୍କୁ ମଧ୍ୟ ସଚେତନ କରାଇଥିଲେ  । ତେବେ ନିଜ ସ୍କୁଲ ବନ୍ଧୁମାନଙ୍କ ସହ ଗୃପରେ ସେ ଏନେଇ ଚାଟ କରିଥିଲେ  । ଏହି ଚାଟ ଭାଇରାଲ ହେବା ପରେ କରୋନା ଭୂତାଣୁକୁ ନେଇ ଖବର ବାହାରକୁ ଆସିଥିଲା  । ତେବେ ଏହି ଖବର ପରେ ଲି’ ଗୁଜବ ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହି ୱାହନ୍ ପୁଲିସ୍ ତାଙ୍କୁ ପଚରାଉଚରା କରିଥିଲା  ।