ଛତ୍ରପୁରରେ ଜମୁଛି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା,ମାସେ ଧରି ମାଆଙ୍କ ଅସ୍ଥାୟୀ ମଣ୍ଡପରେ ଚାଲିବ ପୂଜାର୍ଚ୍ଚନା ।

99

କନକବ୍ୟୁରୋ: ଆରମ୍ଭ ହେଲା ଛତ୍ରପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ୨ବର୍ଷକୁ ଥରେ ହେଉଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଯାହାକୁ ନେଇ ଚଳଚଞ୍ଚଳ ଛତ୍ରପୁର ଅଞ୍ଚଳ । ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଛତ୍ରପୁର ଅଞ୍ଚଳର ପାରମ୍ପାରିକ ଯାତ୍ରା । ଦୁଇ ବର୍ଷାକୁ ଥରେ ପାଳନ ହେଉଥିବା ବେଳେ ଚଳିତ ବର୍ଷ ମେ ୨୯ରୁ ଜୁନ ୩୦ ପର୍ୟ୍ୟନ୍ତ ଚାଲିବ । ଠାକୁରାଣୀ ଯାତ୍ରା ପାଇଁ ଛତ୍ରପୁର ଅଞ୍ଚଳ ଉତ୍ସବ ମୁଖର ହୋଇଛି। ମା’ଙ୍କ ଯାତ୍ରା ଲାଗି ଆଜ୍ଞାମାଳ ଆଣିବା ପାଇଁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ମନ୍ଦିରକୁ ବିରାଟ ପଟୁଆରରେ ଯାଇଥିଲେ । ବିଳମ୍ବିତ ରାତିରେ ମା’ଙ୍କ ମସ୍ତକରୁ ଫୁଲ ଚାଙ୍ଗୁଡ଼ିରେ ପଡିବା ପରେ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି । ଯାତ୍ରା ସମୟରେ ମା’ ରାମାୟାଣାମ୍ମା ଠାକୁରାଣୀ ଶାଶୁଘରୁ ବାପାଙ୍କ ଘରକୁ ଯାଇଥାନ୍ତି ।

ମାସେ ଧରି ଅସ୍ଥାୟୀ ମଣ୍ଡପରେ ମା’ ଦଶ ଭୁଜା ରୂପେ ପୂଜା ପାଆନ୍ତି । ମଙ୍ଗଳବାର ଦେବୀଙ୍କ ଠାରୁ ଆସିଥିବା ଫୁଲ ନିରାକାର ବ୍ରହ୍ମ ରୂପରେ ପୂଜା ପାଉଛନ୍ତି । ବୁଧବାର ସନ୍ଧ୍ୟାରେ ଅସ୍ଥାୟୀ ମଣ୍ଡପରେ ଦଶ ମହାବିଦ୍ୟା ପୂଜାର୍ଚ୍ଚନା, ହୋମ ସହ ଦେବୀଙ୍କ ଦଶ ଭୁଜା ରୂପ ପ୍ରତିମା ଅଙ୍କନ କରାଯାଇଛି । ଏହାପରେ ଦେବୀଙ୍କୁ କଳସରେ ସଜାଇ ସବୁ ଦିନ ପ୍ରତି ସାହିରେ ଘଟ ପରିକ୍ରମା କରିଥାନ୍ତି । ଘଟ ରୂପେ ସଜାଯାଇଥିବା କଳସକୁ ୯ ଜଣ ମୁଣ୍ଡରେ ଧାରଣ କରି ସାହି ପରିକ୍ରମା କରିଥାନ୍ତି ।
ଠାକୁରାଣୀ ଯାତ୍ରା ସମୟର ଛତ୍ରପୁର ଅଞ୍ଚଳରେ ପ୍ରାୟ ଏକ ମାସ ଧରି ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ମୀନା ବଜାର ଜମିବ । ଫଳରେ ସ୍ଥାନୀୟ ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସହ ଲୋକଙ୍କୁ ମନୋରଞ୍ଜନର ଖୋରାଗ୍ ଯୋଗାଇବ ।