କନକ ବ୍ୟୁରୋ : କୋରାପୁଟ ଜିଲ୍ଳା ବୋରିଗୁମ୍ମା ବ୍ଳକର ଡ଼ମ୍ବ-ତୁରୁଂଜୀ ଗାଁରେ ବ୍ୟପିଲା ଝାଡ଼ା ବାନ୍ତି । ଗତ ୧୨ ଦିନରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗ୍ରାମବାସୀ ଆକ୍ରାନ୍ତ ହୋଇ ବଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗାଁରେ ଅସ୍ଥାୟୀ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଛି । ପୂର୍ବରୁ ଦଶମନ୍ତପୁର, ବୋରିଗୁମ୍ମା ଓ କୋରାପୁଟ ବ୍ଳକକୁ ଝାଡାବାନ୍ତି ବ୍ୟାପିଥିଲା ।

Advertisment

ଏବେ ଚବେରି ନଦୀ କୁଳରେ ଥିବା ଡ଼ମ୍ବ-ତୁରୁଂଜୀ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ରୋଗୀଙ୍କୁ ଡାକ୍ତରଖାନା ନେବା ବାଟରେ ଏହି ନଦୀ ବାଧକ ସାଜିଛି । ଏବେ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗ୍ରାମବାସୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଓଡ଼୍ରାଫ ଟିମ୍କୁ ନିୟୋଜିତ କରାଯାଇଛି । ଗାଁରେ ସ୍ୱାସ୍ଥ୍ୟ ସେବା ଯୋଗଇବା ସହ ଆବଶ୍ୟକ ସ୍ଥଳେ ଗ୍ରାମବାସୀଙ୍କୁ ବୋଟ ସାହାଯ୍ୟରେ ନଦୀ ପାର କରାଇ ଡାକ୍ତରଖାନାକୁ ନିଆଯାଉଛି । ଓଡ଼୍ରାଫ ଟିମ୍ ରାତି ଦିନ ଏକ କରି ସେବାରେ ଲାଗିଛନ୍ତି ।

ଡ଼ାକ୍ତରି ଦଳକୁ ଗାଁରେ ପହଂଚାଇବା ଓ ଗ୍ରାମବାସୀଙ୍କୁ ଡାକ୍ତରଖାନାରେ ପହଂଚାଇବା କାମରେ ଲାଗିଛନ୍ତି ଏହି ଟିମ୍ । ସେପଟେ ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ଗାଁର ଗଳିକନ୍ଦିରେ ବୁଲି ବ୍ଳିଚଂ ପାଉଡ଼ର ଛିଚଂନ କରିବା ସହ ପରିବେଶକୁ ସଫା ସୁତରା ରଖିବାକୁ ସଚେତନ କରାଉଛନ୍ତି । ଜୟପୁର ବିଧାୟକ ତାରା ବାହିନିପତି, ଓଡ଼୍ରାଫ ଟିମ ସହଯୋଗରେ ନଦୀ ପାର ହୋଇ ସେହି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଦୁଷିତ ଜଳ ଯୋଗୁଁ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଡ଼ାକ୍ତର ସୁଚନା ଦେଇଛନ୍ତି ।