କନକ ବ୍ୟୁରୋ : ବଲାଙ୍ଗିର ସହରକୁ ପ୍ଲାନିଂ ସହର ବୋଲି କୁହାଯାଏ । ଏହି ସହରର ରାସ୍ତା, ଘର, ଡ୍ରେନ ସବୁକିଛି ଚେସ୍ ବୋର୍ଡର ନକ୍ସା ହିସାବରେ ତିଆରି ହୋଇଥିଲା । ହେଲେ, ଏବେ ରାସ୍ତା ନିର୍ମାଣ କରୁଥିବା ଆରଏଣ୍ଡବି ବିଭାଗ ନିୟମ ମାନୁନଥିିବାରୁ ଦିନ ଦିନକୁ ରାସ୍ତା ଉଚ୍ଚା ହୋଇ ହୋଇ ଚାଲିଛି । କିନ୍ତୁ ଘର ଗୁଡିକ ଯେମିତି ଥିଲା ସେମିତି ଅଛି । ଯାହାକୁ ନେଇ ସହରବାସୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Advertisment

ବଲାଙ୍ଗୀର ସହର । ପଶ୍ଚିମ ଓଡିଶାର ପ୍ରମୁଖ ସହର । ଶିକ୍ଷାଠାରୁ ଆରମ୍ଭ କରି, ରାଜନୀତିର କେନ୍ଦ୍ରସ୍ଥଳ । କିନ୍ତୁ ଏହି ସହରରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି । ସହରର ରାସ୍ତାଗୁଡିକ ଉଚ୍ଚା ହୋଇ ଚାଲିଛି । ହେଲେ, ଘର ଯେମିତି ଥିଲା ସେମିତି ଅଛି । ରାସ୍ତାଗୁଡିକ ଘର ଠାରୁ ୩ଫୁଟରୁ ଅଧିକ ଉଚ୍ଚା ହୋଇଗଲାଣି । ଯାହାଫଳରେ ଅସରାଏ ବର୍ଷା ହେଲେ ଘର ଭିତରେ ପାଣି ପଶୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବଲାଙ୍ଗୀର ସହରବାସୀ ।

ନିୟମ ଅନୁସାରେ ପୁରୁଣା ଖରାପ ରାସ୍ତାକୁ ତାଡି, ଭଲ ଭାବେ ସଫା କରିବା ପରେ, ନୂଆ ରାସ୍ତା ନିର୍ମାଣ କରିବା କଥା । ହେଲେ, ସହରର ଅଧିକାଂଶ ସ୍ଥାନରେ ପୁରୁଣା ରାସ୍ତାକୁ ନତାଡି, ତା ଉପରେ ନୂଆ ରାସ୍ତା ନିର୍ମାଣ କରାଯାଉଛି । ଫଳରେ ରାସ୍ତା ଉଚ୍ଚା ହୋଇ ଚାଲିଛି, କିନ୍ତୁ ଘର ନିଚା ହୋଇ ଯାଉଛି ବୋଲି କ୍ଷୋଭର ସହ କହିଛନ୍ତି ସ୍ଥାନୀୟବାସିନ୍ଦା ।

ତେବେ ଏବେ ଠାରୁ ସଜାଗ ନହେଲେ, ପ୍ଲାନିଂର ସହର ବଲାଙ୍ଗୀରରେ ଆଗକୁ ଏହି ସମସ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।