ପଇସା ମିଳିଲାନି, ମୃତ୍ୟୁ ମିଳିଲା ! ଚିକିତ୍ସା ପାଇଁ ଟଙ୍କା ଆଣିବାକୁ ୪ ଦିନ ବ୍ୟାଙ୍କରେ ଚକ୍କର କାଟିଲେ, ଶେଷରେ ଚିକିତ୍ସା ପୂର୍ବରୁ ଚାଲିଗଲା ପ୍ରାଣ

32

ପଇସା ମିଳିଲାନି, ମୃତ୍ୟୁ ମିଳିଲା । ଦେଶର ଅଧିକାଂଶ ଏଟିଏମ ଏବେ ଖାଲି ପଡିଥିବା ବେଳେ ଟଙ୍କା ପାଇଁ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଥିବା ଘଟଣା ସାମ୍ନାକୁ ଆସିଛି । ବିହାରର ପୂର୍ଣ୍ଣିୟା ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପଇସା ଥିବା ନେଇ ଆଶ୍ୱସ୍ତ କରୁଥିଲେ ମଧ୍ୟ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା ।

ସୂଚନା ଅନୁଯାୟୀ, ପୁର୍ଣ୍ଣିୟା ଜିଲ୍ଲାର ନୁରଜାହାଁ ଖାତୁନ ନିଜର ଚିକିତ୍ସା ବାବଦକୁ ଆବଶ୍ୟକୀୟ ଟଙ୍କା ପାଇଁ ୪ ଦିନ ଧରି ବ୍ୟାଙ୍କ ଯାଉଥିଲେ । ଚିକିତ୍ସା ପାଇଁ ଆବଶ୍ୟକୀୟ ୧୭,୦୦୦ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଇଥିଲେ କିନ୍ତୁ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ନିରାଶ ହୋଇ ଫେରିଥିଲେ । ତେବେ ଗୁରବାର ପୁଣିଥରେ ନୁରଜାହାଁ ନିଜ ପୁଅ ସହ ବ୍ୟାଙ୍କ ଯାଇଥିଲେ ଟଙ୍କା ଉଠାଇବା ପାଇଁ । କିନ୍ତୁ ପ୍ରଥମେ ତାଙ୍କୁ ପଇସା ଉଠାଇବାକୁ ମନା କରିଥିଲେ ବ୍ୟାଙ୍କ କର୍ମଚାରୀ । ଏନେଇ ପୁଅ ମହମ୍ମଦ ଶବ୍ୱୁ ମ୍ୟାନେଜରଙ୍କ ପାଖରେ ମା’ଙ୍କ ଚିିକତ୍ସା ପାଇଁ ଟଙ୍କା ଆବଶ୍ୟକ ଥିବା କହିବା ପରେ ତାଙ୍କୁ ୫୦୦୦ ଟଙ୍କା ଉଠାଇବାକୁ ଅନୁମତି ଦେଇଥିଲେ ।

୧୭୦୦୦ ଟଙ୍କା ବଦଳରେ ମାତ୍ର ୫୦୦୦ ଟଙ୍କା ଉଠାଇବା ପରେ ଚିକିତ୍ସା ପାଇଁ ଅଟୋକୁ ଅପେକ୍ଷା କରିଥିବା ବେଳେ ହିଁ ତାଙ୍କ ମା’ ସେହିଠାରେ ହିଁ ଟଳି ପଡିଥିଲେ । ଟଙ୍କା ବଦଳରେ ମିଳିଥିଲା ମୃତ୍ୟୁ । ତେବେ ଏହି ଘଟଣା ପରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ତେବେ ସେଣ୍ଟ୍ରାଲ ବ୍ୟାଙ୍କ ଶାଖା ପ୍ରବନ୍ଧକ ଏହି ଘଟଣାକୁ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ କହିଛନ୍ତି ।