ବିହାର ନିର୍ବାଚନରେ ପ୍ରସଙ୍ଗ ବନିଲା କୋଭିଡ ଟିକା । ଘୋଷଣାପତ୍ର ଜାରି କରି ବିଜେପି କହିଲା, ଭୋଟ ଦେଲେ ମିଳିବ ମାଗଣା ଟିକା । ବିରୋଧୀଙ୍କ ପ୍ରଶ୍ନ, ମାଗଣା ଟିକାରୁ ବଂଚିତ ହେବେ କି ଅଣବିଜେପି ଶାସିତ ରାଜ୍ୟ ।

159

କନକ ବ୍ୟୁରୋ : ବିହାର ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ବିହାରରେ ମାଗଣା କରୋନା ଟିକା ଦେବା ପାଇଁ ବିଜେପି, ନୂଆ ଘୋଷଣା ପତ୍ର ଜାରି କରିବା ପରେ ବିବାଦ ଦେଖାଦେଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା ପତ୍ର ଜାରି କରି କହିଛନ୍ତି, ଏନଡିଏ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା ଦିଆଯିବ । ଏଥିସହ ବିଜେପି ୧୯ଲକ୍ଷ ନିଯୁକ୍ତି ଦେବା ପାଇଁ ମଧ୍ୟ ଘୋଷଣା ପତ୍ର ଜାରି କରିଛି ।

ତେବେ ମାଗଣା କୋଭିଡ ଟିକା ପ୍ରସଙ୍ଗକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ । ତେଜସ୍ୱୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ କହିଛି କୋଭିଡ ଟିକା କୌଣସି ଦଳର ନୁହେଁ ଏହା ଦେଶର ସମ୍ପତି । ସେହିପରି ଆମ ଆଦମୀ ପାର୍ଟି ଟ୍ୱିଟ କରି ପ୍ରଶ୍ନ କରିଛି, ଅଣ ବିଜେପି ଶାସିତ ରାଜ୍ୟ ଗୁଡିକରେ ତାହେଲେ କଣ ହେବ ।

ସେପଟେ ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା କହିଛନ୍ତି ବିଜେପି କଣ ମାଗଣା ଟିକା, ଦଳୀୟ ପାଣ୍ଠିରୁ ଦେବ?କୋଭିଡ ଟିକା ତିଆରି ପାଇଁ ଅନେକ ଦେଶ ଲାଗି ପଡିଛନ୍ତି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ହୋଇନାହିଁ । ଆଗାମୀ ବର୍ଷ ପ୍ରଥମ ଭାଗରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଉଛି । କିନ୍ତୁ ଏହାରି ଭିତରେ ବିହାରରେ ଏହା ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି ।