ବିଷାକ୍ତ ମଦ ହେଲା କାଳ । ବିହାରରେ ବିଷାକ୍ତ ମଦ ପିଇ ୧୫ ଦିନରେ ମଲେଣି ୪୦ରୁ ଅଧିକ ଲୋକ

91

କନକ ବ୍ୟୁରୋ: ବିହାରରେ ବିଷାକ୍ତ ମଦ ପିଇ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ କେବଳ ଗୋପାଲଗଞ୍ଜ ଓ ପଶ୍ଚିମ ଚମ୍ପାରନ ଜିଲ୍ଲାରେ ୨୮ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ସୁଚନା ଅନୁସାରେ, ଚଳିତ ବର୍ଷ ବିହାରରେ ୭୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି ବିଷାକ୍ତ ମଦ ପିଇ  । ମୁଜଫରନଗର, ପଶ୍ଚିମ ଚମ୍ପାରଣ, ସିବାନ ଏବଂ ରୋହତାସ, ଜିଲ୍ଲାରୁ ସର୍ବାଧିକ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ରାଜ୍ୟରେ ମଦ୍ୟପାନ ଉପରେ ରୋକ ଲଗାଯାଇଥିବାବେଳେ ଚୋରାରେ ମଦ ପିଇଲେ ଏଭଳି ପରିସ୍ଥିତି ଭୋଗିବା ସ୍ୱାଭାବିକ ।

ନକଲି ମଦ ପିଇବା ପରେ ରାଜ୍ୟରେ ଏନେକ ଲୋକ ଚକ୍ଷୁ ସମସ୍ୟା ଦେଇ ଗତି କରୁଛନ୍ତି । ୨୦୧୬ ମସିହା ଏପ୍ରିଲ ୫ ତାରିଖରେ ବିହାର ସରକାର ମଦ ତିଆରି କରିବା, ବିକ୍ରି କରିବା ଓ ପିଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ସମ୍ପୂର୍ଣ୍ଣ ମଦ ମୁକ୍ତ ରାଜ୍ୟରେ ବିଷାକ୍ତ ମଦ ପିଇ ଦିନକୁ ଦିନ ବଢୁଥିବା ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଛି । ଅନ୍ୟପଟେ ମଦ  ମାଫିଆ ଙ୍କ ଉପରେ ଲଗାମ ଲଗାଉଥିବା ପ୍ରସାଶନଙ୍କ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ  ପଶ୍ନ ଉଠିଛି । ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏବେବି ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।