କନକ ବ୍ୟୁରୋ : ଓଡି-୦୫-୯୯୮୫। ରାଜଧାନୀରେ ଟ୍ରାଫିକ୍ ପୁଲିସ୍ ବ୍ୟବହାର କରୁଥିବା ଏକ ଜିପ କାରରେ ଏହି ନମ୍ବର ଲେଖାଯାଇଛି। ଗାଡ଼ିଟି ସବୁଦିନେ ରାଜଧାନୀରେ ଚକ୍କର କାଟୁଛି। କିନ୍ତୁ ପରିବହନ ବିଭାଗର ‘ବାହନ’ ୱେବସାଇଟରେ ଏହି ନମ୍ବରଟି ଏକ ଦୁଇ ଚକିଆ ଯାନ(ସ୍ପେ୍ଲଣ୍ଡର ପ୍ଲସ)ର ବୋଲି ଦର୍ଶାଯାଇଛି। ଲୋକଙ୍କୁ ଗାଡ଼ିର କାଗଜପତ୍ର ଠିକ୍ କରିବାକୁ ତାଗିଦ୍ କରୁଥିବା ପୁଲିସ୍ ବିଭାଗର ଗାଡ଼ିରେ ଏପରି ବେଆଇନ୍ କାର୍ଯ୍ୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
କଥା ସେତିକିରେ ଅଟକି ନାହିଁ। ଏହି ଗାଡ଼ିଟି ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ କାରକେର୍ଡରେ ସାମିଲ୍ ହୋଇଥିଲା। ପୁଣି ଭିଭିଆଇପିଙ୍କ ପାଇଁ ମଧ୍ୟ ବ୍ୟବହାର ହେଉଥିଲା। ଏବେ ଗାଡ଼ିଟି ଟ୍ରାଫିକ୍ ପୁଲିସ୍ ପାଖରେ ନାହିଁ ଓ ରିଜର୍ଭ ପୁଲିସ୍ ଏହି ଗାଡ଼ିକୁ ବ୍ୟବହାର କରୁଛି ବୋଲି କୁହାଯାଉଛି। ଭୁଲ୍ ନମ୍ବର ଲେଖାଯିବା ନେଇ କାହା ପାଖରେ ଠୋସ୍ ଉତ୍ତର ନାହିଁ। ଲୋକଙ୍କୁ ଆଇନ୍ ପାଠ ପଢ଼ାଉଥିବା ପୁଲିସ୍ ଓ ପରିବହନ ବିଭାଗର ବେପରୱା କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଲୋକଙ୍କୁ ଗାଡ଼ି କାଗଜପତ୍ର ଠିକ୍ କରିବାକୁ ପୁଲିସ୍ ତାଗିଦ୍ କରୁଥିଲା ବେଳେ ପୁଲିସ୍ ଗାଡ଼ି କେହି ଯାଞ୍ଚ୍ କରିବେନି ବୋଲି ସେମାନେ ଧରି ନେଇଛନ୍ତି। କିନ୍ତୁ ସାଧାରଣ ଲୋକ ଯେ ପୁଲିସର କାରବାର ଉପରେ ନଜର ରଖିଥିବେ, ତାହା ପୁଲିସ୍ ବାବୁମାନେ ଜାଣିପାରୁ ନାହାନ୍ତି। ଜୟଦେବ ବିହାର ଛକ ନିକଟରେ ଏହି ପୁଲିସ୍ ଗାଡ଼ିଟି ରଙ୍ଗ୍ ରୁଟରେ ଯାଉଥିଲା ବେଳେ ଜଣେ ବ୍ୟକ୍ତି ତାହାର ଭିଡିଓ ରେକର୍ଡିଂ କରିଥିଲେ। ସେଥିରୁ ଭୁଲ୍ ନମ୍ବରଟି ଥିବା ଜଣାପଡ଼ିଥିଲା। ଏହି ଘଟଣା ପଦାକୁ ଆସିଲା ପରେ ପୁଲିସ୍ ବିଭାଗର ବେଆଇନ୍ କାର୍ଯ୍ୟ ବି ଧରାପଡ଼ିଛି।
ପୁଲିସ୍ ଗାଡ଼ିରେ ଦୁଇ ଚକିଆ ଯାନର ନମ୍ବର ଲାଗିବା ପରେ ଏବେ ଉଭୟ ପୁଲିସ୍ ଓ ପରିବହନ ବିଭାଗ ସନ୍ଦେହରେ ଆସୁଛନ୍ତି। ଗାଡ଼ିଟି କଟକ ଆରଟିଓଙ୍କ ପାଖରେ ପଞ୍ଜୀକରଣ ହୋଇଛି। ବାସ୍ତବରେ ପରିବହନ ବିଭାଗ ୱେବସାଇଟରେ ଏପରି ତ୍ରୁଟି ହୋଇଛି ନା ପୁଲିସ୍ ବିଭାଗ କିଛି ବେଆଇନ୍ କରିଛି, ତାହାର ଉତ୍ତର କାହା ପାଖରେ ନାହିଁ। ଏହି ଗାଡ଼ି ଚୋରା ଗାଡ଼ି କାହିଁକି ନ ହୋଇଥିବ ବୋଲି ପ୍ରଶ୍ନ ଉଠୁଛି।
ୱେବସାଇଟରେ ଗାଡ଼ି ସମ୍ପର୍କରେ ମିଳିଥିବା ତଥ୍ୟ ଅନୁଯାୟୀ ଏହା କେଦାର ନନ୍ଦଙ୍କ ହିରୋ ସ୍ପେ୍ଲଣ୍ଡର ପ୍ଲସ ଡାର୍କ କାଷ୍ଟ(ପେଟ୍ରୋଲ)। ୨୦୧୨ ମିସହା ନଭେମ୍ବର ୧୪ ତାରିଖରେ ଗାଡ଼ିଟି କଟକ ଆରଟିଓରେ ପଞ୍ଜୀକୃତ ହୋଇଛି। ତେବେ ପାଖାପାଖି ୨ ମାସ ହେବ ଗାଡ଼ିର ଇନ୍ସୁରାନ୍ସ ଅବଧି ସରିଯାଇଛି। ଗାଡ଼ିର ନମ୍ବର ନାହିଁ, ଇନ୍ସୁରାନ୍ସ ନାହିଁ, ଫିଟନେସ ନାହିଁ। ତଥାପି ପୁଲିସ୍ ଲୋକଙ୍କୁ ଚକମା ଦେଖାଇ ଏହି ଗାଡ଼ିକୁ ବେଧଡ଼କ ଭାବେ ବ୍ୟବହାର କରିଚାଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/no.jpg)