ଆଜିଠୁ ସାବାଡ ହେବେ ରାଜଧାନୀର ଅଟୋ ଚାଳକ ! ଏଣିତି ମନଇଚ୍ଛା ରାସ୍ତାରେ ପାର୍କିଂ କଲେ ଗଣିବେ ଜୋରିମାନା, ପ୍ରତିଦିନ ତାଲିମ ନେବେ ୨ ଶହ ଅଟୋ ଚାଳକ
କନକ ବ୍ୟୁରୋ : ଆଜିଠାରୁ ସାବାଡ଼୍ ହେବେ ବେପରୁଆ ଅଟୋ ଚାଳକ। ଆଉ ଯେଉଁଠୁ ପାରିବେ ସେଠାରୁ ଯାତ୍ରୀ ଉଠାଇ ପାରିବେ ନାହିଁ। ମନଇଚ୍ଛା ରାସ୍ତା ଉପରେ ପାର୍କିଂ ମଧ୍ୟ କରିପାରିବେ ନାହିଁ। ଯଦି କୌଣସି ଅଟୋ ଚାଳକ ନିୟମ ଭାଙ୍ଗିବାକୁ ଚେଷ୍ଟା କରିବେ ସେମାନେ ଗଣିବେ ମୋଟା ଅଙ୍କର ଜରିମାନା। ରାଜଧାନୀ ସୃଷ୍ଟି ହେଉଥିବା ଅହେତୁକ ଜାମ ପରିସ୍ଥିତର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା କମିସନରେଟ୍ ପୁଲିସ ଅଟୋ ଚଳାଚଳ ଉପରେ ଏଭଳି କଟକଣା ଲାଗୁ କରିଛି। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ଅଟୋସଂଘ ଓ ଷ୍ଟାଣ୍ଡକୁ ନୋଟିସ କରିଛି। କମିସନରେଟ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇଥିବା ନିର୍ଦ୍ଧିଷ୍ଟ ଷ୍ଟାଣ୍ଡରେ ଅଟୋ ପାର୍କ କରିବେ। ଅଟୋ ବେ’ରୁ ଯାତ୍ରୀଙ୍କୁ ଉଠାଇବେ ଓ ଛାଡ଼ିବେ। ସେହିପରି ବେ’ରେ ଏକା ସମୟରେ ୫ରୁ ଅଧିକ ଅଟୋ ରଖିପାରିବେ ନାହିଁ। ଏଜି ଛକସ୍ଥିତ ଟ୍ରାଫିକ ଥାନା ସଭାଗୃହରେ କମିସନରେଟ ପୁଲିସ ଓ ଅଟୋ ମହାସଂଘ ମଧ୍ୟରେ ହୋଇଥିବା ବୈଠକରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଅଟୋ ମହାସଂଘକୁ ଏହିସବୁ ଦିଗ ଉପରେ ସଚେତନ କରାଇଛନ୍ତି। ନିୟମକୁ ଆଜିଠାରୁ ଲାଗୁ କରାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପ୍ରଥମ ପର୍ଯ୍ୟାୟରେ ଏହି ନିୟମକୁ ୫ଟି ସ୍ଥାନ ଯଥା ମ୍ୟୁଜିୟମ ଛକ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ରସୁଲଗଡ଼ରେ ଲାଗୁ କରିବା ପାଇଁ ଯୋଜନା ହୋଇଛି। କିନ୍ତୁ ବର୍ତ୍ତମାନ ଏହାକୁ ୩ଟି ଛକ ଯଥା ରାଜମଲ, କଳ୍ପନା ଓ ବାଣୀବିହାରରେ ଛକରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି। ଚିହ୍ନଟ ସ୍ଥାନରେ କମିସନରେଟ ପୁଲିସ ପକ୍ଷରୁ ସାଇନ୍ ବୋର୍ଡ ଲାଗାଯିବ। ଏହି ତିନୋଟି ଛକରେ ଏକ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ। ସକାଳ ୯ଟାରୁ ଦିନ ୧ଟା ଓ ଅପରାହଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ପୁଲିସ ଫୋର୍ସ ଅଟୋ ଚାଳକଙ୍କ ଉପରେ ନଜର ରଖିବେ। ସେହିପରି ଏଭଳି ନିୟମ ପ୍ରଣୟନ କରିବା ପାଇଁ ଅଧିକ ଟ୍ରାଫିକ ପୁଲିସର ଆବଶ୍ୟକତା ରହିଛି। ଏଥିପାଇଁ ୫୬ ଜଣ ନୂଆ ଟ୍ରାଫିକ ପୁଲିସଙ୍କୁ ନିଯୁକ୍ତି ମଧ୍ୟ ମିଳିଛି। ବୈଠକରେ ଲେନ୍ ଡ୍ରାଇଭ୍ ଉପରେ ଗୁରୁତ୍ବ ଦିଆଯାଇଥିଲା। ଅଟୋଚାଳକମାନେ ରାସ୍ତାର ବାମ ପଟରେ ଅଟୋ ଚଳାଇବେ। ମଝି ରାସ୍ତାକୁ ମଧ୍ୟ ବ୍ୟବହାର କରିବେ। ହେଲେ ଡ଼ାହାଣ ପଟ ରାସ୍ତାରେ ଅଟୋ ଚଳାଚଳ ନେଇ କଟକଣା ଲାଗୁ କରାଯାଇଛି।
ଏଥିପାଇଁ ସମସ୍ତ ଚାଳକଙ୍କୁ ତାଲିମ ଦିଆଯିବାକୁ ଯୋଜନା କରାଯାଇଛି। ପ୍ରତିଦିନ ୨ଶହ ଅଟୋ ଚାଳକଙ୍କୁ ଅଟୋ ଚଳାଳଚ ଉପରେ ହୋଇଥିବା ନୂଆ କଟକଣାକୁ ନେଇ ତାଲିମ ଦିଆଯିବ। ପାଖାପାଖି ୨୦ ହଜାରରୁ ଊର୍ଧ୍ବ ଅଟୋ ଚାଳକଙ୍କୁ ଏହି ତାଲିମ ଦିଆଯିବ। ଆଇଆଇସି ଓ ଉପରିସ୍ଥ ପୁଲିସ ଅଧିକାରୀମାନେ ସେମାନଙ୍କୁ ତାଲିମ୍ ଦେବେ। ଯେଉଁମାନେ ତାଲିମ ପାଇବେ ସେମାନଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହା ସଫଳ ହେଲେ ରାଜଧାନୀର ସମସ୍ତ ସ୍ଥାନରେ ଏହାକୁ ଲାଗୁ କରାଯିବ ବୋଲି ଡିସିପି ନାଥ କହିଛନ୍ତି।