କନକ ବ୍ୟୁରୋ: ସମ୍ବଲପୁର ବୋରୱେଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣା । ଅପରେସନ୍ ବୋରୱେଲ ନେଇ ବିସ୍ତୃତ ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । କହିଲେ, ଉତ୍ତରାଞ୍ଚଳ ଅଗ୍ନିଶମ ରେଞ୍ଜ୍ ଅଫିସର ସଲିଲ ପ୍ରକାଶ କିଣ୍ଡୋ ଏବଂ ସୁଶାନ୍ତ ରାଉଳ ତାଙ୍କ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ୨ଟା ୪୬ ମିନିଟରେ ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ବୋରୱେଲ ଭିତରେ ଶିଶୁ ଥିବା ଜାଣିବା ପରେ ତାକୁ କେମିତି ଅକ୍ସିଜେନ ଦିଆଯିବ ସେଇଟା ଅଗ୍ନିଶମବାହିନୀଙ୍କ ପ୍ରଥମ ଦାୟିତ୍ୱ ଥିଲା । ରେଙ୍ଗାଲୀ ସିଏଚସିର ଫାର୍ମାସିଷ୍ଟଙ୍କୁ ଅନୁରୋଧ କରିଥିଲୁ ଘଟଣାସ୍ଥଳରେ ଆସି ପହଞ୍ଚିବା ପାଇଁ, ଆଉ ପରେ ମେସିନ ମାଟି ଖୋଳିବା ଆଉ ମାଟିକୁ ସେହି ସ୍ଥାନରୁ ସଫା କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।

Advertisment

ଅତି ସାବଧାନତାର ସହ ପାଇପକୁ କାଟିବାକୁ ପଡ଼ିଲା । କାରଣ ଆମର ଟିକିଏ ଭୁଲ ପାଇଁ ପିଲାଟି ଯେମିତି ଖସିନପଡୁ ତା’ ଉପରେ ଗୁରୁତ୍ୱ ଥିଲା । ପିଲାଟି ପାଇପର କେଉଁ ସ୍ଥାନରେ ଅଛି , କେତେ ଦୂରତାରେ ଅଛି ତାହା ଜାଣିବା ପାଇଁ ଆମେ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ଲୋଡ଼ିଥିଲୁ । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିଜେ ସମୀକ୍ଷା କରୁଥିବାରୁ ତୁରନ୍ତ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଝାରସୁଗୁଡ଼ା ସେହି କ୍ୟାମେରାକୁ ପଠାଯାଥିଲା । କ୍ୟାମେରା ପହଞ୍ଚିବା ପୂର୍ବରୁ ଆମେ ଖୋଳାଖୋଳି କାମ ସାରିଥିଲୁ । ପରେ ଅତି ସୁକ୍ଷ୍ମତାର ସହ ସମ୍ବେଦନଶୀଳ ଭାବେ ସୁରକ୍ଷିତ ଶିଶୁଟିକୁ ଉଦ୍ଧାର କରି ଡାକ୍ତରୀ ଟିମକୁ ଦେଇଥିଲୁ ।

ପ୍ରତିଟି ଜୀବନ ମୂଲ୍ୟବାନକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ମୁଖ୍ୟମନ୍ତ୍ରୀ । କୁନି ଶିଶୁର ଜୀବନ ବଞ୍ଚାଇବା ପାଇଁ ଉଡ଼ାଜାହାଜ ପଠାଇବାଠୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ କରିଥିବାରୁ ନିଷ୍ପାପ ଶିଶୁଟି ବଞ୍ଚିଗଲା, ତେଣୁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଗ୍ନିଶମ ଡିଜି । ଏବେ ଶିଶୁଟି ସୁସ୍ଥ ଏବଂ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଅପରେସନର ବିଜେତା ହେଉଛି ଶିଶୁ । ଏହା ଏକ ଦୁର୍ଘଟଣା ନୁହେଁ ଏହା ହେଉଛି ଏକ ଅପରାଧ, ଏହାକୁ କୌଣସି ଅନ୍ୟଘଟଣା ସହ ତୁଳନା କରି କହିବା ଠିକ୍ ହେବନି । ଏହି ଘଟଣା ସ୍ଥାନୀୟ ପୋଲିସ ତଦନ୍ତ କରୁଛି, ୩୦୭ ଦଫା ଲଗାଇ ଏହି ଘଟଣାର ତଦନ୍ତ ପୋଲିସ କରୁଛି, ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।