କନକ ବ୍ୟୁରୋ : ବ୍ରହ୍ମପୁର ସହର । ଦକ୍ଷିଣ ଓଡିଶାର ବ୍ୟବସାୟିକ ପେଣ୍ଠସ୍ଥ୍ଳୀ ଯୋଗାଯୋଗାର ମାଧ୍ୟମ । କିନ୍ତୁ କିଛି ଦିନ ହେଲା, ଏହି ସହର ନକଲି ଖାଦ୍ୟ ସାମଗ୍ରୀ, ନିଶାଦ୍ରବ୍ୟ କାରବାର ଓ ବନ୍ଧୁକ ଚୋରାଚାଲାଣକୁ ନେଇ ଚର୍ଚ୍ଚାକୁ ଆସିଛି ।
ବ୍ରହ୍ମପୁର ସହରରେ ବନ୍ଧୁକ ରଖିଥିବା ଲୋକଙ୍କ ସଂଖ୍ୟା ବଢ଼ିବା ଆଲୋଚନାର ବିଷୟ ହୋଇଛି । ତଥ୍ୟ ଅନୁସାରେ ଅପରାଧିଙ୍କ ନିକଟରୁ ଗତ ୫ବର୍ଷରେ ୫୬ଟି ବିଭିନ୍ନ ପ୍ରକାର ବନ୍ଧୁକ ଜବତ ହୋଇଛି । ସେଥିରେ ରହିଛି, ୨ଟି ବିଦେଶୀ ବନ୍ଧୁକ ଓ ୧୩୩ଟି ଜୀବନ୍ତ ଗୁଳି । ଜିଲ୍ଳାରେ ୩୧୭ ଜଣଙ୍କ ନିକଟରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରହିଛି । ତେବେ ବିନା ଲାଇସେନ୍ସରେ ବହୁ ଲୋକ ବନ୍ଧୁକ ରଖିଥିବା ସନ୍ଦେହ କରାଯାଉଛି ।
ବ୍ରହ୍ମପୁର ପୋଲିସ ଜିଲ୍ଲ୍ାରେ ଲାଇସେନ୍ସ ନଥାଇ ବହୁ ଧନୀଶାଳୀ ବ୍ୟକ୍ତି, ବ୍ୟବସାୟୀ ଓ ଅପରାଧି ନିଜ ପାଖରେ ବନ୍ଧୁକ ରଖିଥିବା କୁହାଯାଉଛି । ଆଲୋଚନା ହେଉଛି, ବନ୍ଧୁକ ଚୋରାଚାଲାଣରେ କିଛି ଯୁବଗୋଷ୍ଠୀଙ୍କ ହାତ ରହିଛି । କମ୍ ବୟସ ପିଲାଙ୍କ ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରାଇ ଅପରାଧିମାନେ ପତିଆରା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ଯାହାଫଳରେ କଥା କଥାରେ ଗୁଳି ଫୁଟୁଛି । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ଅପରାଧିକଙ୍କ ଗତିିବିଧି ଉପରେ ସ୍ୱତନ୍ତ୍ର ନଜର ରଖିଛି ବ୍ରହ୍ମପୁର ପୋଲିସ ।
ବ୍ରହ୍ମପୁର ସହରକୁ କେଉଁଠୁ ଏତେ ବନ୍ଧୁକ ଆସୁଛି ତାହା ସ୍ପଷ୍ଟ ହୋଇନଥିଲେ ବି କୋଲକତା ଓ ବିହାର ଭଳି ବାହାର ରାଜ୍ୟରୁ ବନ୍ଧୁକ ଆସୁଥିବା ଗିରଫ ଅଭିଯୁକ୍ତମାନେ ପୂର୍ବରୁ ସୂଚନା ଦେଇଛନ୍ତି । ଯାହାକୁ ରୋକିବା ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ।