କନକ ବ୍ୟୁରୋ: ଝିଅ ହୋଇବି କେବେ ନିଜକୁ ପୁଅଠାରୁ କମ ଭାବିନଥିବା ଅଞ୍ଜନାଙ୍କ ପ୍ରତିଟି କଥା ସମସ୍ତଙ୍କ ପାଇଁ ଗୋଟେ ପ୍ରେରଣା ନିଶ୍ଚୟ । ନିଜକୁ ସେ ପ୍ରମାଣ କରିଦେଖେଇଛନ୍ତି ଯେ ସେ କାହାଠାରୁ କମ ନୁହନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ଗାଁର ଅଞ୍ଜନା ଦୋରା । ସକାଳୁ ସକାଳୁ ନିଜ କାମ ସାରି ପରିବା ବ୍ୟାଗ ଧରି ବାହାରି ପଡନ୍ତି ଗାଁରୁ ଗାଁକୁ । ଗାଡିରେ ପରିବା ବୋଝେଇ କରି ସେ ଘରକୁ ଘର ବୁଲି ପରିବା ବିକ୍ରି କରନ୍ତି । ଗତ ୫ ବର୍ଷ ହେବ ସେ ଏମିତି ପରିବା ବିକ୍ରି କରି ନିଜର ପରିବାରକୁ ପ୍ରତିପୋଷଣ କରୁଛନ୍ତି । ଘରେ ତାଙ୍କର ୨ ଭଉଣୀ, ବାପା ମାଆ ସେମାନଙ୍କ ମୁହଁରେ ଟିକେ ହସ ଦେବା ପାଇଁ ନିଇତି ଏମିତି ପରିବା ବିକ୍ରି କରିବାକୁ ବାହରିପଡୁଛନ୍ତି ଅଞ୍ଜନା । ଅଞ୍ଜନାଙ୍କ ମନରେ ଥିବା ପ୍ରତିବଦ୍ଧତା ଆଜି ତାଙ୍କୁ ଏଜାଗାରେ ଛିଡା କରିଦେଇଛି । ସେଥିରୁ ହେଉଥିବା ରୋଜଗାରରେ ପୂରା ପରିବାର ଚଳୁଛି ।

Advertisment

ନିଜେ ବ୍ୟବସାୟ କରିବେ ବୋଲି ଫାଇନାନ୍ସ କରି ଗାଡିକିଣିଲେ ଅଞ୍ଜନା । ଏହିଠାରୁ ହିଁ ତାଙ୍କର ଆରମ୍ଭ ହେଲା ଯାତ୍ରା । ପରିବାରରେ ଥିବା ଅଭାବ ଅସୁବିଧାକୁ ସେ ପଛରେ ଛାଡି ଆଗକୁ ବଢିବାକୁ ଗୋଡକାଢିଥିଲେ । ପରିବାର ବି ତାଙ୍କୁ ଏଥିରେ ବେସ ସହଯୋଗ କରିଥିଲେ । ସାଙ୍ଗସାଥୀଙ୍କ ସହ ଯେଉଁ ବୟସରେ ସେ ହସିଖେଳି ଦିନ ବିତାଇବା କଥା ଆଜି ସେହି ପରିସ୍ଥିତିରେ ସେ ଅନ୍ୟମାନଙ୍କ ସ୍ୱପ୍ନକୁ କେମିତି ପୂରଣ କରିହେବ ସେଥିପାଇଁ ଲାଗିପଡିଛନ୍ତି । ସେପଟେ ତାଙ୍କ ବାପା ମାଆ ଅସୁସ୍ଥ ଥିବା ବେଳେ ସରକାରଙ୍କ ତରଫରୁ ତାଙ୍କୁ କୌଣସି ପ୍ରକାର ସହାୟତା ମିଳିପାରୁନାହିଁ । ବାପା ତାଙ୍କ ବଧିର ହୋଇଥିବା ବେଳେ ମାଆଙ୍କ ଦେହ ବି ଭଲ ରହୁନାହିଁ । ଅନେକ ଥର ପ୍ରଶାସନକୁ ଏ ବାବଦରେ ଜଣାଇଥିଲେ ବି କୌଣସି ସୁଫଳ ମିଳିପାରୁନାହିଁ । ହେଲେ ବି ଅଞ୍ଜନା ହାର ନମାନି ନିଜ ସକ୍ଷମ ହିସାବରେ ବାପା ମାଆଙ୍କ ଦେହ କଥା ଠାରୁ ନେଇ ଉଭଣୀମାନଙ୍କ ପାଠପଢା କଥା ବୁଝୁଛନ୍ତି । ତେବେ ଅଞ୍ଜନାଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ପାଇଁ ମଧ୍ୟ ସମସ୍ତେ ନିବେଦନ କରିଛନ୍ତି ।

ନିଜ ସ୍ୱପ୍ନକୁ ଅଧାରେ ଛାଡିଦେଇ ବାପାମାଆଙ୍କ ପାଇଁ, ଉଭଣୀମାନଙ୍କ ପାଇଁ ପରିଶ୍ରମ କରିଚାଲିଛନ୍ତି ଅଞ୍ଜନା । କେମିତି ସେମାନେ ଟିକେ ଖୁସିରେ ରହିବେ ସେଥିପାଇଁ ନିଇତି ଚେଷ୍ଟା କରୁଛନ୍ତି । ତାଙ୍କର ଏଭଳି ଉଦ୍ୟମ ଆଜି ହଜାର ହଜାର ଝିଅଙ୍କ ପାଇଁ ପ୍ରେରଣାର ଉତ୍ସ ।