ଗାଁ ମହିଳାଙ୍କୁ ସଚେତନ କରିବା ପାଇଁ ଶିକ୍ଷତ ଯୁବତୀଙ୍କ ନିଆରା ଉଦ୍ୟମ । ସାନିଟାରୀ ପ୍ୟାଡ ବ୍ୟବସାୟ କରିବା ସହ ମହିଳା ଓ ଯୁବତୀଙ୍କୁ ମେଷ୍ଟ୍ରୁରାଲ ହାଇଜିନ୍ ବିଷୟରେ କରୁଛନ୍ତି ସଚେତନ

118

କନକ ବ୍ୟୁରୋ : ଯାଜପୁରର ପ୍ୟାଡ଼ଗାର୍ଲ ବୈଶାଖୀ.. ଦିନେ ବେଙ୍ଗାଲୁରୁରେ ଏକ ବାୟୋଟେକ୍ କମ୍ପାନୀରେ ଉଚ୍ଚ ଦରମାରେ ଚାକିରି କରୁଥିଲେ । ହେଲେ ସେଥିରେ ତାଙ୍କର ମନ ମାନିନଥିଲା । ଗାଁକୁ ଫେରି ନିଜେ କିଛି କରିବା ଉଦ୍ଦେଶ୍ୟରେ ଆରମ୍ଭ କଲେ ସାନିଟାରୀ ନାପକିନ୍ ବା ପ୍ୟାଡ ବ୍ୟବସାୟ । ମହିଳା ମାନଙ୍କୁ ମେଷ୍ଟ୍ରୁରାଲ ହାଇଜିନ୍ ବିଷୟରେ ସଚେତନ କରାଇବା ଏହି ବ୍ୟବସାୟର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ବୈଶାଖୀ । ସେଥିପାଇଁ ବିଭିନ୍ନ ମହିଳା ସଙ୍ଗଠନ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସ୍କୁଲ ଛାତ୍ରୀ ଓ ବସ୍ତି ଅଂଚଳରେ ରହୁଥିବା ମହିଳାମାନଙ୍କୁ ସାନିଟାରୀ ପ୍ୟାଡର ବ୍ୟବହାର ଓ ଉପକାରିତା ନେଇ ସେ ସଚେତନ କରାଉଛନ୍ତି । ଆଉ ଏଥିପାଇଁ ତାଙ୍କୁ ତାଙ୍କ ପରିବାର ପକ୍ଷରୁ ମିଳୁଛି ପୂର୍ଣ୍ଣ ସହଯୋଗ ।

ପାଖାପାଖି ୧୦ ଲକ୍ଷ ଟଙ୍କା ବିନିଯୋଗରେ ବର୍ଷକ ତଳେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଖୁବ୍ ଭଲ ଚାଲିଛି । ସ୍ଥାନୀୟ ଅଂଚଳର କିିଛି ମହିଳାଙ୍କୁ ମଧ୍ୟ ରୋଜଗାର ମିଳିପାରିଛି । ଘର ପାଖରେ ରହି କିଛି ରୋଜଗାର କରିପାରୁଥିବାରୁ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ ।

ନିଜର ଏହି ନିଆରା ବ୍ୟବସାୟ ପାଇଁ ବୈଶାଖୀ ଜାତୀୟ ସେମିନାରରେ ଅଂଶଗ୍ରହଣ କରି ବେଶ୍ ପ୍ରସଂଶିତ ମଧ୍ୟ ହୋଇଛନ୍ତି ।