କନକ ବ୍ୟୁରୋ : ରାୟଗଡା ଜିଲ୍ଲାରେ ବାଳିକା ଶିକ୍ଷା ଅତ୍ୟନ୍ତ ନୈରାସ୍ୟଜନକ । ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଆଦିବାସୀ ଅଂଚଳର ଅଭିଭାବକ ଓ ଝିଅମାନଙ୍କୁ ପ୍ରଭାବିତ କରିପାରୁନି । ଫଳରେ ଶିକ୍ଷାନୁଷ୍ଠାନରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମି ଯାଉଛି । ବେଶିରେ ବେଶୀ ଅଷ୍ଟମ ଯାଏଁ ପଢିବା ପରେ ଅଧିକାଂଶ ଛାତ୍ରୀମାନେ ପାଠପଢା ଛାଡି ଦେଉଛନ୍ତି । ବିଦ୍ୟାଳୟକୁ ଆସିବା ବଦଳରେ ପରିବାର ସହ ବିଲ ଓ ଡଙ୍ଗରରେ କାମ କରିବାକୁ ପସନ୍ଦ କରୁଛନ୍ତି ।

Advertisment

ରାୟଗଡା ଜିଲ୍ଲାରେ ଶହ ଶହ ସଂଖ୍ୟାରେ ଆବାସିକ ବିଦ୍ୟାଳୟ ରହିଛି । ହେଲେ ଝିଅମାନେ ଆବାସିକ ବିଦ୍ୟାଳୟରେ ନାମ ଲେଖାଉନାହାନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାର ୪ଟି ବ୍ଳକ ରାୟଗଡା, ଗୁଣୁପୁର, କଲ୍ୟାଣସିଂହପୁର ଓ କାଶୀପୁରରେ ବାଳିକା ଶିକ୍ଷାର ସ୍ଥିତି ଚିନ୍ତାଜନକ ରହିଛି । ପରିବାରର ଆର୍ଥିକ ଅନଟନ ଯୋଗୁଁ ଝିଅମାନେ ପାଠ ଛାଡ଼ି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଜଣା ପଡିଛି । ଅନ୍ୟପଟେ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ଶିକ୍ଷା ବିଭାଗ ବହୁ ପଦକ୍ଷେପ ହାତକୁ ନେଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ।

କିଛି ବର୍ଷ ତଳେ ଝିଅଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଥିଲା । କିନ୍ତୁ ଶିକ୍ଷା ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।