କନକ ବ୍ୟୁରୋ : ବିଜ୍ଞାନ କଲା କମାଲ । ପ୍ରଥମ ଥର ଲାଗି ମଣିଷ ଶରୀରରେ ପ୍ରତିରୋପଣ କରାଯାଇଛି ଘୁଷୁରୀ କିଡନୀ । ଆମେରିକା ନ୍ୟୁୟର୍କ ସ୍ଥିତ ଏନୱାଇୟୁ ଲାଙ୍ଗୋନ ହେଲଥ ମେଡିକାଲ ସେଂଟରର ଡାକ୍ତର ଏହି ସଫଳ ଅସ୍ତ୍ରୋପଚାର କରିଛନ୍ତି । ବଡ କଥା ହେଲା, ଘୁଷୁରୀ କିଡନୀ ମନୁଷ୍ୟ ଶରୀରରେ ଠିକ ଭାବେ କାମ କରୁଛି ।
ଅଙ୍ଗପ୍ରତ୍ୟଙ୍ଗ ଅଭାବକୁ ଦୂର କରିବା ଲାଗି ଅନେକ ଦିନ ହେଲା ଘୁଷୁରୀ ଉପରେ ଗବେଷଣା ଜାରି ରହିଥିଲା । ପୂର୍ବରୁ ଏ ନେଇ ସମସ୍ତ ପ୍ରୟାସ ବିଫଳ ହୋଇଥିଲା । ଘୁଷୁରୀ କୋଷିକାରେ ଥିବା ଏଖ ପ୍ରକାରର ସୁଗାରକୁ ମନୁଷ୍ୟ ଶରୀର ଗ୍ରହଣ କରିପାରିନଥାଏ । ତେଣୁ ଚଳିତ ଥର ଡାକ୍ତରମାନେ ସ୍ୱତନ୍ତ୍ର ପରିବର୍ତିତ ଜିନ ଥିବା ଘୁଷୁରୀକୁ ବ୍ୟବହାର କରିଥିଲେ । ଡାକ୍ତରମାନଙ୍କ କହିବା ଅନୁସାରେ, ଘୁଷୁରୀର କିଡନୀ ମଣିଷ ଦେହରେ ସଫଳତା ପୂର୍ବକ କାମ କରୁଛି ।
ଜାଣନ୍ତୁ କ’ଣ ଥିଲା ପୂରା ପ୍ରକ୍ରିୟା ?
- ଜଣେ ବ୍ରେନଡେଡ଼ ରୋଗୀଙ୍କଠାରେ ଘୁଷୁରୀ କିଡ଼ନୀ ଲଗାଯାଇଥିଲା
- ସଂପୃକ୍ତ ରୋଗୀଙ୍କ କିଡ଼ନୀ ପ୍ରାୟତଃ ଖରାପ ହୋଇଯାଇଥିଲା
- ରୋଗୀଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥାରୁ ହଟାଇବା ପାଇଁ ପରିବାରର ଅନୁମତି ଅଣାଯାଇଥିଲା
- ଘୁଷୁରୀ କିଡ଼ନୀକୁ ରୋଗୀଙ୍କ ଶରୀରରୁ ବାହାରିଥିବା ଏକ ବଡ଼ ଧମନୀ ସହ ଯୋଡ଼ିଥିଲେ
- ଏହା ସହାୟତାରେ ତାଙ୍କୁ ରକ୍ତ ଓ ଅମ୍ଳଜାନ ମିଳୁଥିଲା
- ରୋଗୀଙ୍କ ଉପରେ ୨ରୁ ୩ ଦିନ ନଜର ରଖାଯାଇଥିଲା
- ଏହା ପରେ କିଡ଼ନୀ ଭଲ ଭାବେ କାମ କରିଥିଲା
- ଆବର୍ଜନାକୁ ଛାଣିବା ସହ ମୂତ୍ର ଉତ୍ପାଦନ କରିଥିଲା
- କିଡ଼ନୀର କାମ ବି ସ୍ୱାଭାବିକ ଚାଲିଥିଲା
- ମନୁଷ୍ୟ କିଡ଼ନୀ ଭଳି ଘୁଷୁରୀ କିଡ଼ନୀ ମଧ୍ୟ ସମାନ ପରିମାଣରେ ମୂତ୍ର ଉତ୍ପାଦନ କରିଥିଲା
- ପ୍ରଥମେ ରୋଗୀଙ୍କ ଶରୀରରେ କ୍ରିଏଟିନିନ ସ୍ତର ସ୍ୱାଭାବିକ ନଥିଲା
- କିଡ଼ନୀ ଲାଗିବା ପରେ ରୋଗୀଙ୍କ କ୍ରିଏଟିନିନ ସ୍ତର ପୁଣି ଥରେ ସ୍ୱାଭାବିକ ହୋଇଯାଇଥିଲା