୨୪ ଘଣ୍ଟାରେ ଦେଶରୁ ୧୬, ୮୬୨ ନୂଆ ମାମଲା ଚିହ୍ନଟ । ପ୍ରାୟ ୮ ମାସ ଭିତରେ ସବୁଠୁ କମ୍ ଦୈନିକ ସଂକ୍ରମଣ

102

କନକ ବ୍ୟୁରୋ: ଦେଶରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ କମୁଥିବା ସଂକ୍ରମଣ ସଂଖ୍ୟାରୁ ଏହାର ପ୍ରମାଣ ମିଳିଛି । ଶୁକ୍ରବାର ଦେଶରେ ୨୧୬ ଦିନ ଭିତରେ ସବୁଠୁ କମ ମାମଲା ସାମ୍ନାକୁ ଆସିଛି । ପାର୍ବଣ ରୁତୁରେ ସଂକ୍ରମଣ ବଢ଼ିବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଥିଲେ । ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଗ୍ରହଣ କରାଯାଇଛି । ତେବେ ଦେଶରେ ସଂକ୍ରମଣ ସଂଖ୍ୟା କମିଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୮୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୧୬ ଦିନ ଭିତରେ ଏହା ସବୁଠୁ କମ୍ ଦୈନିକ ସଂକ୍ରମଣ । ହେଲେ କେରଳ ପରି ରାଜ୍ୟ ଏବେ ବି ଚିନ୍ତାର କାରଣ ପାଲଟିଛନ୍ତି । ଲଗାତର ଭାବେ କେରଳରୁ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଶୁକ୍ରବାର କେରଳରୁ ସର୍ବାଧିକ ୯ ହଜାର ୨୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେରଳ ସହ ମହାରାଷ୍ଟ୍ର, କର୍ଣ୍ଣାଟକରେ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ ସଂକ୍ରମଣ ରହିଛି

ଗତ ୨୪ ଘଣ୍ଟାରେ ଦେଶରେ ୩୭୯ ଜଣଙ୍କର ଜୀବନ ଯାଇଛି । ତେବେ ଦେଶରେ ସୁସ୍ଥ ହାର ବଢ଼ୁଥିବା ବେଳେ ସକ୍ରିୟ ସଂକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଦେଶରେ ୨ ଲକ୍ଷ ୩୬୭୮ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ସେପଟେ ଦେଶରେ ଜୋରଦାର ଟିକାକରଣ ଜାରି ରହିଛି । ୯୭ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି । ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।