କନକ ବ୍ୟୁରୋ : ୨୦୨୪ ନିର୍ବାଚନ ଲଢେଇ ଦୁଇ ଗୋଷ୍ଠୀ ମଧ୍ୟରେ ହେବ । ଗୋଟିଏ ପଟେ ବେଙ୍ଗଳୁରୁରେ ମୋଦୀ ବିରୋଧୀଙ୍କ ମେଳି । ଅନ୍ୟପଟେ ଦିଲ୍ଲୀର ଅଶୋକା ହଲରେ ଏନଡିଏ ମେଂଟ ସହଯୋଗୀଙ୍କ ବୈଠକ । ଦେଶର ସୁରକ୍ଷା ପାଇଁ ଏନଡିଏକୁ କ୍ଷମତାରୁ ଦୂରେଇ ରଖିବା ଲକ୍ଷ୍ୟରେ ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି କରିଛନ୍ତି ପ୍ରାୟ ୨୬ଟି ବିରୋଧୀ ଦଳ । ତେଣୁ ୟୁପିଏର ନାଁ ପରିବର୍ତ୍ତନ କରି ଇଣ୍ଡିଆ ରଖାଯାଇଛି, ଅର୍ଥାତ ଇଣ୍ଡିଆନ ଭେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ । ବେଙ୍ଗାଳୁରୁରେ ବସିଥିବା ଏହି ବୈଠକରେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ମେଣ୍ଟର ଚେହେରା ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି କିଛି ବରିଷ୍ଠ ନେତା । ହେଲେ ମୋଦୀ ବିରୋଧୀ ଚେହେରା ସ୍ଥିର କରିବାକୁ ଏକ ୧୧ ଜଣିଆ ସମନ୍ୱୟ କମିଟି ଗଢିଛନ୍ତି ବିରୋଧୀ ଗୋଷ୍ଠୀ । ଇଣ୍ଡିଆ ମେଂଟର ପରବର୍ତୀ ବୈଠକ ମୁମ୍ବାଇରେ କରିବାକୁ ସ୍ଥିର ହୋଇଛି ।

Advertisment

ଏପଟେ ପୁଣି ବିରୋଧୀ ମେଂଟକୁ ଚ୍ୟାଲେଞ୍ଜ କରି ଏକାଠି ହୋଇଛନ୍ତି ଏନଡିଏ ମେଂଟ ସହଯୋଗୀ । ଦିଲ୍ଲୀର ଅଶୋକା ହୋଟେଲରେ ପ୍ରାୟ ୩୮ଟି ଦଳ ଶକ୍ତି ପ୍ରଦର୍ଶନ କରିଥିବା ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶିବସେନାରୁ ଅଲଗା ହୋଇଥିବା ଏକନାଥ ସିନ୍ଦେ ଓ ଏନସିପି ହାତ ଛାଡି ଆସିଥିବା ଅଜିତ ପାୱାରଙ୍କୁ ମଧ୍ୟ ଏନଡିଏ ମେଂଟ ବୈଠକରେ ଦେଖିବାକୁ ମିଳିଛି । ବୈଠକ ପୂର୍ବରୁ ବିରୋଧୀ ଗୋଷ୍ଠୀକୁ କଠୋର ଶବ୍ଦରେ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଠିକ ଏହିଭଳି ଏକାଠି ହୋଇଥିଲେ ମୋଦୀ ବିରୋଧୀ । ସେତେବେଳେ ବିରୋଧୀ ମେଂଟର ନେତୃତ୍ୱ ନେଉଥିଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ସଂସଦ ଭବନ ବାହାରେ ହାତ ଧରାଧରି ହୋଇ ଏକାଠି ଲଢିବାକୁ ନିଷ୍ପତି କରିଥିଲେ ବିଜେପି ବିରୋଧୀ ୨୨ଟି ରାଜନୈତିକ ଦଳ । ହେଲେ ବିଜେପି କିମ୍ବା ଏନଡିଏ ମେଂଟ ବିରୋଧରେ ଏହା କୌଣସି ପ୍ରଭାବ ପକାଇ ପାରିନଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଏନଡିଏ ମେଂଟକୁ ମିଳିଥିଲା ସର୍ବାଧିକ ୩୧୭ ଆସନ । ରାଜନୀତି ସମୀକ୍ଷକଙ୍କ ମତରେ ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବଡ କ୍ଷତି ହେଲେ ମଧ୍ୟ ୨୩୦ରୁ ୨୫୦ ଆସନ ଜିତିବା ମୁକ୍ସିଲ ହେବନାହିଁ । ତେଣୁ ନିର୍ବାଚନ ପୂର୍ବରୁ କିମ୍ବା ପରେ ଆଂଚଳିକ ଦଳଗୁଡିକ ବିଜେପି ସହ ସାଲିସ କରିପାରନ୍ତି । ହେଲେ ବିଜେପି ପାଇଁ ୨୦୨୪ ନିର୍ବାଚନୀ ବିଜୟ ଏତେ ସହଜ ହେବ ନାହିଁ ବୋଲି ବିରୋଧୀ ଗୋଷ୍ଠୀ ବାର୍ତା ଦେଇସାରିଛନ୍ତି ।