୨୦୧୧ ତୁଳନାରେ ୨୦୧୯ରେ ଭାରତରେ ହ୍ରାସ ପାଇଛି ଗରିବଙ୍କ ସଂଖ୍ୟା: ଧନୀ ଅଧିକ ଧନୀ ହୋଇଛି, ମଧ୍ୟବିତ ଯେଉଁଠି ଥିଲେ ସେଇଠି

209

କନକ ବ୍ୟୁରୋ: ଗରିବ ଲୋକ ଉପରକୁ ଉଠିଲେ, ଧନୀ ଲୋକ ବି ଅଧିକ ଧନୀ ହେଲେ, କିନ୍ତୁ ମଧ୍ୟବିତ ଯେଉଁଠି ଥିଲେ ସେଇଠି ରହିଗଲେ । ଏପରି ତଥ୍ୟ ୱାର୍ଲଡ୍ ବ୍ୟାଙ୍କର ଗବେଷଣାରୁ ଜଣାପଡିଛି । ୨୦୧୧ରେ ୱାର୍ଲଡ୍ ବ୍ୟାଙ୍କର ତଥ୍ୟ ଅନୁସାରେ ଦେଶରେ ଗରିବ ସୀମାରେଖା ତଳେ ୨୨.୫ ପ୍ରତିଶତ ଲୋକ ରହିଥିଲେ । ତେବେ ୨୦୧୯ରେ ଏହି ପ୍ରତିଶତ କମି ୧୦.୨ ପ୍ରତିଶତରେ ପହଁଚିଛି । ଅର୍ଥାତ ଦେଶରେ ୨୦୧୧ରୁ ୨୦୧୯ ମଧ୍ୟରେ ୧୨.୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି ।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦ୍ୱାରା ପ୍ରକାଶିତ ହୋଇଛି ଏହି ରିସର୍ଚ ପେପର । ଏଥିରେ କୁହାଯାଇଛି ଯେ ଦେଶରେ ଥିବା ଏକ୍ସଟ୍ରିମ୍ ପଭର୍ଟି ବା ଅତି ଗରିବ ଅବସ୍ଥାରେ ସୁଧାର ଆସିଛି । ୪୦ ବର୍ଷ ଧରି ଦେଶରେ ଲାଗୁ ହୋଇଥିବା ଖାଦ୍ୟ ସୁରକ୍ଷା ଯୋଜନାର ସୁଫଳ ସାଧାରଣ ଲୋକଙ୍କ ପାଖକୁ ପହଁଚି ପାରିଛି । ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ଅଧିକ ଲୋକ ଏହି ସୀମାରେଖା ଉପରକୁ ଉଠିଛନ୍ତି । ସହରାଂଚଳରେ ଦାରିଦ୍ର୍ୟ ହାର ୭.୯ ପ୍ରତିଶତ କମିଥିବାବେଳେ, ଗ୍ରାମାଂଚଳରେ ଏହି ହାର ୧୪.୭ ପ୍ରତିଶତ କମିଛି । ଏହା ସହ ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ଦେଶରେ କ୍ଷୁଦ୍ର ଚାଷୀଙ୍କ ରୋଜଗାର ବଢିଛି ।

ଚାଷୀଙ୍କ ଆୟ ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି । ଗରିବ ଓ ମଧ୍ୟବିତଙ୍କ ମଧ୍ୟରେ ତାରତମ୍ୟ କମିଛି । ଏହା ଭାରତ ଭଳି ଦେଶ ପାଇଁ ଭଲ ସଂକେତ ବୋଲି ଆଇଏମଏଫରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ତେବେ ଏଥିରେ ଧନୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି । ଦେଶରେ ଥିବା ଧନୀ ୧୦ ବର୍ଷ ମଧ୍ୟରେ ଅଧିକ ଧନୀ ହୋଇଛନ୍ତି । ମଧ୍ୟବିତଙ୍କ ଅବସ୍ଥାରେ ଏହି ୧୦ ବର୍ଷ ମଧ୍ୟରେ କିନ୍ତୁ କୈାଣସି ପରିବର୍ତନ ଆସି ନଥିବା ଏହି ରିପୋର୍ଟରୁ ଜଣାପଡିଛି ।