କନକ ବ୍ୟୁରୋ: ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ବା ଏକମାତ୍ର ସରକାରୀ ଶିଶୁ ଚିକିତ୍ସାଳୟ ଶିଶୁଭବନ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶିଶୁ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । କିନ୍ତୁ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ବେଶ୍ ଉଦବେଗଜନକ । ୨୦ ମାସ ଭିତରେ ଶିଶୁଭବନରେ ପାଖାପାଖି ସାଢ଼େ ୩ହଜାର ଶିଶୁଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ଦିନକୁ ହାରାହାରି ୬ଜଣ ଶିଶୁ ପ୍ରାଣ ହରାଉଛନ୍ତି । ଏହି ତଥ୍ୟ ଏଥିପାଇଁ ଗୁରୁତ୍ୱ ବହନ କରୁଛି, କାରଣ ଏହା ହେଉଛି ଜାତୀୟ ସ୍ତରର ଖ୍ୟାତାନାମା ଚିକିତ୍ସାଳୟ । ବିଶେଷଜ୍ଞମାନେ ଏଥିପାଇଁ ଦୁର୍ବଳ ଭିତିଭୂମିକୁ ଦାୟୀ କରିଛନ୍ତି । ଯେଉଁ ଶିଶୁମାନେ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି, ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଉପଯୁକ୍ତ ଭିତିଭୂମି ନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
କଟକ ମ୍ୟୁନିସିପାଲଟି କର୍ପୋରେସନ୍ ପକ୍ଷରୁ ଜାରି ଏହି ତଥ୍ୟ ଅନୁସାରେ, ୨୦୨୨ ଜାନୁଆରୀରୁ ଅଗଷ୍ଟ, ୨୦୨୩ ମଧ୍ୟରେ ଶିଶୁଭବନରେ ଚିକିତ୍ସିତ ହେଉଥିବା ୩ହଜାର ୪୮୭ ଜଣଙ୍କର ମୃତ୍ୟୁ ହୋଇଛି । ତଥ୍ୟ ଅନୁସାରେ, ଶିଶୁଭବନରେ ମାତ୍ର ୯ଟି ଏନଆଇସିୟୁ ବେଡ୍ ରହିଛି । ଯେଉଁଥିପାଇଁ ବିଭିନ୍ନ ସ୍ଥାନରୁ ଶିଶୁଭବନକୁ ଆସୁଥିବା ଗୁରୁତର ଶିଶୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।