ରତ୍ନଭଣ୍ଡାରରେ ଅଛି କ’ଣ ? ସାମ୍ନାକୁ ଆସିଲା ୧୧୩ ବର୍ଷ ତଳର ତଥ୍ୟ, ୫ଟି ସିନ୍ଦୁକରେ ରହିଛି ରତ୍ନ ଅଳଙ୍କାର । ଜାଣନ୍ତୁ କେଉଁ ସିନ୍ଦୁକରେ କଣ ଥିଲା

143

କନକ ବ୍ୟୁରୋ : ଆଉ ୨ ଦିନ ପରେ ଅଥାର୍ତ ଆସନ୍ତା ୪ ତାରିଖ ଦିନ , ଖୋଲାହେବ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ବର୍ଷ ବର୍ଷ ଧରି ରତ୍ନ ଭଣ୍ଡାରକୁ ନେଇ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି । ସୁନା ଅଳଙ୍କାରର ଆକଳନ ହେବ ନାହିଁ ବୋଲି ପ୍ରଶାସନ କହିଥିଲେ ମଧ୍ୟ ଶ୍ରୀମନ୍ଦିରର ଏହି ଅଲୌକିକ ଭଣ୍ଡାର ଘରର ରହସ୍ୟ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉକ୍ରଂଠା ଭରି ରହିଛି । ସେପଟେ ୧୧୩ ବର୍ଷ ତଳର ଭଣ୍ଡାର ଘରର ତଥ୍ୟ ସାମ୍ନାକୁ ଆସିିଛି । ମାର୍ଚ ୪ ତାରିଖ ୧୯୦୫ ମସିହାରେ ଉତ୍କଳ ଦୀପିକାରେ ଏହି ତଥ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ ରତ୍ନଭଣ୍ଡାରର ସିନ୍ଦୁକରେ କଣ ଅଛି ତାହା ଉଲ୍ଲେଖ ରହିଥିଲା ।

ତକ୍ରାଳନୀ ଓଡ଼ିଶାର ପ୍ରତିଷ୍ଠିତ ସମ୍ବାଦପତ୍ର ଉତ୍କଳ ଦୀପିକାର ମାର୍ଚ୍ଚ ୪, ୧୯୦୫ର ସଂସ୍କରଣରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିବା ନେଇ ବର୍ଣ୍ଣନା କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଭିତରେ ଥିବା ୫ଟି ସିନ୍ଧୁକର କଥା ।

୧. ପ୍ରଥମ ସିନ୍ଧୁକରୁ ପିତଳର କିଛି ପଦାର୍ଥ ଓ ଏକାଧିକ ମୂର୍ତି ବାହାରିଥିଲା । ଏହି ମୂର୍ତିର ମୂଲ୍ୟ ଉଲ୍ଲେଖ ନଥିଲେ ବି ଏହା ଖୁବ ମୁଲ୍ୟବାନ ହେବ ।

୨. ଦ୍ୱିତୀୟ ସିନ୍ଧୁକରୁ ଏକାଧିକ ପାଟଲୁଗା ସେବାୟତଙ୍କ ଦୃଷ୍ଟିକୁ ଆସିଥିଲା । ଏହା ଶ୍ରୀଜୀଉ ମାନେ ବିଭିନ୍ନ ସମୟରେ ବ୍ୟବହାର କରୁଥିବା ଜଣାପଡ଼ିଛି ।

୩. ତୃତୀୟ ସିନ୍ଧୁକରୁ ନଷ୍ଟ ହୋଇଯାଇଥିବା ଅନେକ ମୂଲ୍ୟବାନ ଲୁଗା ମିଳିଥିଲା । ଏହାପରେ ଲୁଗା ଗୁଡ଼ିକୁ ସିନ୍ଧୁକ ଭିତରେ ଆଉ ରଖାଯାଇନଥିଲା ।

୪. ଚତୁର୍ଥ ସିନ୍ଧୁକରୁ ବାହାରିଥିଲା ମଣିଖଚିତ କୁଣ୍ଡଳ, ଶିରପେଂଚ ତଥା ହୀରା, ମୋତି ଖଚିତ ଅଳଙ୍କାର । ଯୁଦ୍ଧ ଜିତିବା ପରେ ଗଜପତି ମହାରାଜ୍ ଜଗନ୍ନାଥଙ୍କୁ ଏହା ଅର୍ପଣ କରିଥିବା କୁହାଯାଏ ।

୫. ପଂଚମ ସିନ୍ଧୁକରୁ ସେବାୟତଙ୍କୁ ମିଳିଥିଲା ସୁନା, ରୂପାର ଥାଳି, ମୂର୍ତି ତଥା ଅଷ୍ଟ ରତ୍ନ ଅଳଙ୍କାର । ପରିଷ୍କାର କରି ଏହାକୁ ପୁଣି ସିନ୍ଧୁକରେ ରଖାଯାଇଥିଲା ।

ବାହାର ରତ୍ନଭଣ୍ଡାର ଚାବି ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସକ ଓ ସେବାୟତଙ୍କ ପାଖରେ ରହୁଥିବା ବେଳେ ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲାପାଳଙ୍କ ପାଖରେ ରହିଥାଏ । ଗତ ଶହେ ବର୍ଷରେ ମୋଟ୍ ଚାରିଥର ଖୋଲିଛି ରତ୍ନଭଣ୍ଡାର । ୧୯୦୫, ୧୯୨୬, ୧୯୭୮ ଓ ୧୯୮୪ ମସିହା । ୧୯୭୮ରେ ତାଲିକା ପ୍ରସ୍ତୁତ ଓ ୧୯୮୪ରେ ଚିତା ମରାମତି ପାଇଁ ଖୋଲାଯାଇଛି ରତ୍ନଭଣ୍ଡାର । ତଥ୍ୟ ଅନୁଯାୟୀ ଭିତର ରତ୍ନଭଣ୍ଡାରର ପୂର୍ବ ଓ ପଶ୍ଚିମ କାନ୍ଥରେ ଜଣେ ମଣିଷ ଯିବାଭଳି ଫାଙ୍କ ରହିଛି । ଫାଙ୍କ ଜରିଆରେ ଭିତରେ ସାପ ଚଳପ୍ରଚଳ କରିବାର ସମ୍ଭାବନା ଥିବା କୁହାଯାଏ ।

ଆଉ ଦୁଇ ଦିନ ପରେ ଖୋଲାଯିବ ଭିତର ରତ୍ନଭଣ୍ଡାର । ୧୦ ଜଣିଆ ସ୍ୱତନ୍ତ୍ର ଟିମ୍ ଯିବେ ରତ୍ନଭଣ୍ଡାରକୁ ଆଉ ଏସବୁ ରହସ୍ୟ ଉପରୁ ପରଦା ହଟିବା ଅନୁମାନ କରାଯାଉଛି । ଏପ୍ରିଲ ୪ ତାରିଖ ବୁଧବାର ଦ୍ୱିତୀୟ ଭୋଗମଣ୍ଡପ ପରେ ଭିତରକୁ ଯିବେ ଦଳ । ଏନେଇ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି, ଭିତରକୁ ଯାଉଥିବା ବ୍ୟକ୍ତି ସ୍ୱତ୍ୱଲିପିର ବ୍ୟବସ୍ଥା ଓ ଶ୍ରୀମନ୍ଦିର ଆଇନ୍ ଅନୁସାରେ କାର୍ଯ୍ୟ କରିବେ । ଏହାପରେ ସେମାନେ ରିପୋର୍ଟ ଜରିଆରେ ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିବେ । ତଦାରଖ କାର୍ଯ୍ୟ ଚାଲିଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବା ସେ କହିଛନ୍ତି ।