କନକ ବ୍ୟୁରୋ : ସାଉଦି ଆରବର ବୃହତ୍ ତେଲ କମ୍ପାନି ସାଉଦି ଆରାମକୋର ଦୁଇଟି ଉତ୍ପାଦନ କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ ପରଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ଅଢ଼େଇ ଟଙ୍କା (୨ ଟଙ୍କା ୪୨ ପଇସା) ବଢ଼ି ଯାଇଥିବା ବେଳେ ଡିଜେଲ ଦର ୨ ଟଙ୍କା ୧୨ ପଇସା ବଢ଼ିଗଲାଣି। ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଏବଂ ଡିଜେଲ କିଣୁଥିବା ଗ୍ରାହକଙ୍କୁ ପକେଟରୁ ଲିଟର ପିଛା ଏବେ ଯଥାକ୍ରମେ ୭୩ ଟଙ୍କା ୩୮ ପଇସା ଏବଂ ୭୨ ଟଙ୍କା ୧୮ ପଇସା ଗଣିବାକୁ ପଡ଼ୁଛି। ଗତ ୧୪ ତାରିଖରେ ସାଉଦି ଆରାମକୋରର ଦୁଇଟି ଉତ୍ପାଦନ କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏଥିଯୋଗୁଁ ଉକ୍ତ କମ୍ପାନିର ଅଶୋଧିତ ତେଲ ଉତ୍ପାଦନ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଭାରତ ସାଉଦି ଆରବଠାରୁ ଅଧିକ ପରିମାଣର ଅଶୋଧିତ ତେଲ କିଣୁଥିବାରୁ ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବହୁମାତ୍ରାରେ ବଢ଼ାଇ ଚାଲିଛନ୍ତି।

Advertisment

publive-imageସାଉଦି ଆରବର ତେଲ କାରଖାନାରେ ଡ୍ରୋନ ଆକ୍ରମଣର ପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୧୩ ତାରିଖରେ ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୭୦ ଟଙ୍କା ୯୬ ଟଙ୍କା ଏବଂ ୭୦ ଟଙ୍କା ୬ ପଇସା ରହିଥିଲା। କିନ୍ତୁ ଇତିମଧ୍ୟରେ ଗ୍ରାହକଙ୍କୁ ପେଟ୍ରୋଲ ଏବଂ ଡିଜେଲ ବାବଦରେ ଅଧିକ ଅର୍ଥ ଗଣିବାକୁ ପଡ଼ୁଛି। କେବଳ ଭୁବନେଶ୍ବର ନୁହେଁ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ବହୁମାତ୍ରାରେ ବଢ଼ିଯାଇଛି। ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ସ୍ଥାନରେ ପେଟ୍ରୋଲ ଦର ୮୦ ଟଙ୍କା ଟପିଗଲାଣି। ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବର ତେଲ କମ୍ପାନି ତାହାର ଉତ୍ପାଦନକୁ ପୂର୍ବସ୍ଥିତିକୁ ଫେରାଇ ଆଣିଥିବାବେଳେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ଗ୍ରାହକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିଯୋଗୁଁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି।