ଆସନ୍ତା ୧୦ ଦିନରେ ସୁପ୍ରିମକୋର୍ଟରେ ଆସିବ ୪ ବଡ ଫଇସଲା । ଅଯୋଧ୍ୟା ରାୟ ସହିତ ଆସିବ ରାଫେଲ୍, ସାବରିମାଳା ପ୍ରସଙ୍ଗରେ ବଡ ଶୁଣାଣି ।

459

କନକ ବ୍ୟୁରୋ : ଆସନ୍ତା ୧୦ ଦିନରେ ସୁପ୍ରିମକୋର୍ଟରେ ଆସିବ ୪ଟି ବଡ ଫଇସଲା । ଆଉ ଏହି ୪ଟି ବଡ ଫଇସଲା ସାରା ଦେଶ ଉପରେ ପକାଇବ ବଡ ପ୍ରଭାବ । ଆସନ୍ତୁ ଜାଣିବା କଣ କଣ ହେଉଛି ଏହି ୪ଟି ବଡ ଫଇସଲା । ଅଯୋଧ୍ୟା ମାମଲାର ରାୟ ହେଉଛି ଏହି ୪ଟି ମାମଲା ମଧ୍ୟରୁ ପ୍ରଧାନ ଓ ପ୍ରମୁଖ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ୧୮୫୮ ମସିହାରୁ ଚାଲି ଆସିଥିବା ଏହି ମାମଲାର ରାୟ ଆସିବ ଆସନ୍ତା ୧୦ ଦିନ ମଧ୍ୟରେ ।

ସେହିପରି ଏହି କ୍ରମରେ ଦ୍ୱିତୀୟ ପ୍ରମୁଖ ମାମଲା ହେଉଛି କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅନୁମତି ପ୍ରସଙ୍ଗ । ଏନେଇ ଦାଏର ହୋଇଥିବା ୬୫ଟି ପିଟିସନର ଚୂଡାନ୍ତ ଶୁଣାଣି ହେବ । ଗତ ଫେବ୍ରୁଆରୀ ୬ ତାରିଖରେ ଏନେଇ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

ସେହିପରି ଫ୍ରାନ୍ସରୁ କିଣାଯାଇଥିବା ୩୬ ରାଫେଲ ବିମାନ ନେଇ ମଧ୍ୟ ଦାଏର ହୋଇଥିବା ମାମଲାର ଶୁଣାଣି ବି ଆସିବ । ଗତ ମେ ୧୦ ତାରିଖରେ ଏନେଇ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । ଶେଷ ଗୁରୁତ୍ୱପୂର୍ଣ୍ଣ ମାମଲାଟି ହେଉଛି ସୂଚନା ଅଧିକାର ଆଇନ ଅଧିନରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆସିବ ନା ନାହିଁ । ଗତ ଏପ୍ରିଲ ୪ ତାରିଖରେ ଏନେଇ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।