କନକ ବ୍ୟୁରୋ : ପାକିସ୍ତାନରେ ଏବେ ରାଜନୈତିକ ଅସ୍ଥିରତା ଲାଗିରହିଛି । ପାକିସ୍ତାନର ସଂସଦ ଭଙ୍ଗ ହେବା ପରେ ଏବେ ଆଗକୁ ପାକିସ୍ତାନ ରାଜନୀତିରେ କଣ ଘଟିବାକୁ ଯାଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଏସବୁ ଭିତରେ ଇମ୍ରାନ ଖାନଙ୍କ ସାବତ ପୁଅ ମୁସା ମେନକା କହିଛନ୍ତି, ତାଙ୍କ ପରିବାର ସହ ଫରାହ ଖାନଙ୍କର କୌଣସି ସମ୍ପର୍କ ନାହିଁ । ଇମ୍ରାନ ଖାନଙ୍କୁ ଧୋକା ଦେଇଛନ୍ତି ଫରାହ । ତେବେ ଫରାହ କିଏ ଯାହାଙ୍କୁ ନେଇ ଏବେ ପାକିସ୍ତାନ ରାଜନୀତିରେ ଚର୍ଚ୍ଚା ବଢିଛି ।

Advertisment

କୁହାଯାଉଛି, ଇମ୍ରାନଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ଅତି ଘନିଷ୍ଠ ବାନ୍ଧବୀ ଫରାହ ଗତ ଏପ୍ରିଲ ୩ ତାରିଖରେ ପାକିସ୍ତାନରୁ ଏକ ବ୍ୟାଗ୍ ଭର୍ତ୍ତି ଟଙ୍କା ଭର୍ତ୍ତି କରି ଦୁବାଇ ଫେରାର ହୋଇ ଯାଇଛନ୍ତି । ଅନୁମାନ କରାଯାଉଛି କୋଟି କୋଟି ଟଙ୍କା ଧରି ଫରାହ ପାକିସ୍ତାନରୁ ଛୁ ମାରିଛନ୍ତି । ଯାହାକୁ ନେଇ ଏବେ ପାକିସ୍ତାନ ରାଜନୀତି ସରଗରମ ରହିଛି ।

ଫରାହ ଖାନ୍ ଏହାପୂର୍ବରୁ ଇମ୍ରାନଙ୍କ ଦଳ ପିଟିଆଇର ସଦସ୍ୟ ରହି ସାରିଛନ୍ତି । ଅଧିକାଂଶ ସମୟରେ ତାଙ୍କୁ ଇମ୍ରାନଙ୍କ ତୃତୀୟ ପତ୍ନୀଙ୍କ ସହ ଦେଖିବାକୁ ମିଳିଛି । ଇମ୍ରାନ ସରକାରରେ ଫରାହଙ୍କର ଯଥେଷ୍ଟ ଅଧିକ ପ୍ରଭାବ ରହିଥିଲା । ବିଭିନ୍ନ ସରକାରୀ ଅଫିସରଙ୍କ ବଦଳି କରି କୋଟି କୋଟି ଟଙ୍କା ନେଇଛନ୍ତି ଫରାହ । ଯେହେତୁ ଇମ୍ରାନଙ୍କର ଆର୍ଶୀବାଦ ତାଙ୍କ ମୁଣ୍ଡ ଉପରେ ରହିଥିଲା ତେଣୁ ଫରାହ ନିର୍ଭୟରେ ଏଭଳି କରୁଥିଲେ । ଏପରିକି ଇମ୍ରାନ ସରକାରର ସମସ୍ତ ଦୁର୍ନୀତି ଓ ଘୋଟାଲା ବାବଦରେ ଫରାହ ଜାଣିଥିଲେ । ତେଣୁ ଇମ୍ରାନ ସରକାରର ଭୟ ଫରାହଙ୍କୁ ନଥିଲା । ଆଉ ଏହା ବଳରେ ସେ ନିଜର ସାମ୍ରାଜ୍ୟକୁ ବୃଦ୍ଧି କରିଥିଲେ । କିନ୍ତୁ ପାକିସ୍ତାନରେ ଇମ୍ରାନ ସରକାର ସଙ୍କଟକୁ ଆସିବା ପରେ ଦେଶ ଛାଡି ଫେରାର ହୋଇ ଯାଇଛନ୍ତି ଫରାହ ।