ଇମ୍ରାନ ଖାନଙ୍କ ଜାମିନ ଘଟଣାକୁ ବିରୋଧ କରି ସେହେବାଜ ସରକାର ଓ ସେନା ମଧ୍ୟରେ ବସୁଛି ଘନ ଘନ ବୈଠକ,ଦେଶରେ ହିଂସା ଘଟଣା ପାଇଁ ଇମ୍ରାନଙ୍କୁ ଦାୟୀ କରି ସେନା ରୁଜୁ କଲା ଆର୍ମି ଆକ୍ଟରେ ମକଦ୍ଦମା

379

କନକ ବ୍ୟୁରୋ : ପାକିସ୍ତାନରେ ଥମୁନି ଅଶାନ୍ତିିର ନିଆଁ । ପାକ୍ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ କରିବା ଠୁ ଆରମ୍ଭ କରି ମୁକୁଳାଇବା ଯାଏଁ ଲମ୍ବିଛି ବିବାଦ । ଦେଶରେ ବତର୍ମାନ ଇମ୍ରାନଙ୍କ ସମର୍ଥକ ଓ ସରକାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଏହାରି ଭିତରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଓ ସେନା ମୁଖ୍ୟ ଅସୀମ ମୁନିରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ସମ୍ପତି ହିଂସାକୁ ନେଇ ଇମ୍ରାନ ଖାନଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଏକାଧିକ ମାମଲା । ପିଡିଏମର ସମର୍ଥକ ସୁପ୍ରିମକୋର୍ଟ ବାହାରେ ଧାରଣାରେ ବସିବା ସହ ଏହାକୁ ବିରୋଧ କରିଛନ୍ତିି । ସେପଟେ ଇମ୍ରାନଙ୍କ ସମର୍ଥନରେ ପିଟିଆଇ ମଧ୍ୟ ଦେଶରେ ପ୍ରଦର୍ଶନ କରୁଛି । ଏହାକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ଦଳୀୟକର୍ମୀଙ୍କୁ କହିଛନ୍ତି ଇମ୍ରାନ । ଏହାରି ଭିତରେ ଅଲ କାଦର ଟ୍ରଷ୍ଟ ମାମଲାରେ ଇସଲାମବାଦ ହାଇକୋର୍ଟ ଇମ୍ରାନଙ୍କୁ ୨ ସପ୍ତାହର ଜାମିନ୍ ଦେଇଛି । ସେପଟେ ଇମ୍ରାନଙ୍କ ସହଯୋଗୀ ତଥା ପିଟିଆଇ ନେତା ଫୱାଦ ଚୌଧରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଗାଡିରୁ ଓହ୍ଳାଇ ଇସଲାମବାଦ ହାଇକୋର୍ଟ ଆଡକୁ ଦୌଡୁଥିବା ଦେଖିବାକୁ ମିଳିଛି । କୋର୍ଟରୁ ଜାମିନ ମିଳିବା ପରେ ପୋଲିସ ଫୱାଦଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଥିଲା । ଅନ୍ୟ ଏକ ମାମଲାରେ ପୋଲିସ ତାଙ୍କୁ ଆଉ ଥରେ ଗିରଫ କରିପାରେ ଏହି ଭୟରେ ସେ ପୋଲିସକୁ ଦେଖି ଦୌଡିବାକୁ ଲାଗିଥିଲେ ।