ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି । ନ୍ୟାସନାଲ ଆସେମ୍ଲିରେ ବିଶ୍ୱାସ ମତରେ ଜିତିଲେ ଇମ୍ରାନ ଖାନ୍ ।

126

କନକ ବ୍ୟୁରୋ: ଶକ୍ତି ପରୀକ୍ଷାରେ ବିଜୟ ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଶକ୍ତି ପରୀକ୍ଷାରେ ବିଜୟ ସହିତ ପାକିସ୍ତାନରେ ଇମ୍ରାନ ଖାନ ସରକାରକୁ ନେଇ ଲାଗି ରହିଥିବା ଆଶା ଆଶଙ୍କା ମଧ୍ୟ ଟଳିଯାଇଛି । ଶୁକ୍ରବାର ପାକ୍ ସଂସଦରେ ହୋଇଥିବା ଶକ୍ତି ପରୀକ୍ଷାକୁ ବର୍ଜନ କରିଥିଲେ ବିରୋଧୀ ଦଳ । ଆଉ ଇମ୍ରାନ୍ ଖାନଙ୍କ ଦଳ ତେହରିକ୍ ଇ ଇନସାଫ୍ ଦଳ ସପକ୍ଷରେ ଯାଇଥିଲା ୧୭୮ ଟି ମତ ।

ପାକିସ୍ତାନରେ ୧୧ଟି ରାଜନୈତିକ ଦଳକୁ ନେଇ ଗଠିତ ପାକିସ୍ତାନ ଡେମୋକ୍ରାଟିକ ମୁଭମେଂଟ ଇମ୍ରାନ ଖାନ ସରକାରର ଏହି ଶକ୍ତି ପରୀକ୍ଷାକୁ ବର୍ଜନ କରିଥିଲା ।  ବିରୋଧୀଙ୍କ ଏହି ନିଷ୍ପତି ପରେ , ଇମ୍ରାନ ଖାନଙ୍କ ବିଜୟ ରାସ୍ତା ସଫା ହୋଇଯାଇଥିଲା ।

ନିକଟରେ ପାକିସ୍ତାନ ସିନେଟ୍ ଚୟନ ପାଇଁ ଭୋଟିଂ ହୋଇଥିଲା । ଏହି ନିର୍ବାଚନରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମର୍ଥିତ ପ୍ରାର୍ଥୀ ଅବଦୁଲ୍ ହଫିଜ୍ ସୈଖଙ୍କୁ ପରାସ୍ତ କରିଥିଲେ, ପାକିସ୍ତାନ ଡେମୋକ୍ରାଟିକ ମୁଭମେଂଟର ପ୍ରାର୍ଥୀ , ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରାଜା ଗିଲାନୀ । ଏହା ପରେ ଇମ୍ରାନ ଖାନଙ୍କ ସରକାର ଉପରେ ଚାପ ବଢିଥିଲା । କାରଣ ନିର୍ବାଚନରେ ହାରିଥିଲେ ପାକିସ୍ତାନର ଜଣେ କ୍ୟାବିନେଟ୍ ମନ୍ତ୍ରୀ । ଇମ୍ରାନ୍ ଖାନ୍ ସେତେବେଳେ ପାକିସ୍ତାନର ନାସନାଲ ଟିଭି ଚ୍ୟାନେଲରେ ଆସି ବିଶ୍ୱାସମତ ଦେବାର କଥା କହିଥିଲେ । ଆଉ ଶେଷରେ ଏହି ପରୀକ୍ଷା ପାସ୍ କରିଛନ୍ତି ଇମ୍ରାନ ଖାନ୍ ।

୨୦୧୮ ମସିହାରେ ନିର୍ବାଚନରେ ଜାଲିଆତି କରାଯାଇଥିବା ଅଭିଯୋଗ ଆଣି ପାକିସ୍ତାନରେ ଛୋଟ ବଡ ୧୧ଟି ରାଜନୈତିକ ଦଳ ଏକାଠି ହୋଇ ଗଠନ କରିଛନ୍ତି ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଂଟ । ଏହି ବିରୋଧୀ ଇମ୍ରାନ୍ ଖାନଙ୍କୁ କ୍ଷମତାରୁ ବିଦା କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ୨୦୧୮ରେ ଇମ୍ରାନ୍ ଖାନ ୧୭୬ଟି ଭୋଟ୍ ପାଇ ସରକାର ଗଢିଥିଲେ । ଏବେ ବିଶ୍ୱାସମତରେ ୧୭୮ଟି ମତ ପାଇ ସରକାରରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି ।