କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଗିରଫ । ତୋଷଖାନା ମାମଲାରେ ଇମ୍ରାନଙ୍କୁ କୋର୍ଟ ୩ବର୍ଷ ଦଣ୍ଡାଦେଶ ଦେବା ପରେ, ଲାହୋରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି ପାକିସ୍ତାନ ପୋଲିସ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇସଲାମାବାଦର ଏକ ତଳ କୋର୍ଟ ତୋଷଖାନା ମାମଲାର ଶୁଣାଣି କରି ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି । ଅଦାଲତ ଇମ୍ରାନଙ୍କୁ ୩ବର୍ଷ ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତିି । ତେବେ ଜରିମାନା ଆଦାୟ ହୋଇନପାରିଲେ ସେ ଆଉ ୬ମାସ ଜେଲରେ ରହିବେ ।

Advertisment

ଇମ୍ରାନଙ୍କ ବିରୋଧରେ ଥିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ତଥା ସେସନସ ଜଜ୍ ହୁମାୟୁନ୍ ଦିଲାୱାର କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ପ୍ରମାଣିତ ହୋଇଛି । ମାମଲାର ପୁନଃବିଚାର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ରାୟ ଦେଇଛନ୍ତି ତଳ କୋର୍ଟ । ତେବେ ଏହାକୁ ସମାଲୋଚନା କରିଛି ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ । କେବଳ ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା କରି ଜେଲରେ ଭର୍ତି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଯାହାକି ଲଜ୍ଜାଜନକ । ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବାବେଳେ କ୍ଷମତାର ଅପବ୍ୟବହାର କରି ଖାଁ ରାଷ୍ଟ୍ର ମାଲିକାନାରେ ଥିବା ଉପହାର ସବୁକୁ ବିକାକିଣା କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ସେ ବିଦେଶ ଗସ୍ତ କରିଥିବା ସମୟରେ ବହୁ ଉପହାର ପାଇଥିଲେ । ସେ ସବୁର ମୂଲ୍ୟ ୧୪୦ ନିୟୁତ କୋଟି ଟଙ୍କାରୁ ଅଧିକ ହେବ ।