ଚର୍ଚ୍ଚାରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବ୍ୟବହାର : ସାଉଦି ଆରବ ରାଜାଙ୍କ ସହ କରିଥିବା ଅସ୍ୱାଭାବିକ ଆଚରଣ ପାଇଁ ଦ୍ବିପାକ୍ଷିକ ବୈଠକ ହେଲା ବାତିଲ, ଦେଖନ୍ତୁ ଭିଡିଓ

1,900

ସାଉଦି ଆରବର ରାଜା ସଲମାନ୍ ବିନ୍ ଅବଦୁଲ୍ଲାଜିଜଙ୍କୁ ସାକ୍ଷାତ କରିବା ଅବସରରେ ପ୍ରଚଳିତ ପ୍ରୋଟୋକଲକୁ ଅବମାନନା କରି ଅଭଦ୍ର ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ କେନ୍ଦ୍ର କରି ସମଗ୍ର ମଧ୍ୟପ୍ରାଚ୍ୟ ସମେତ ପାକିସ୍ତାନରେ ତୀବ୍ର ପ୍ରତକ୍ରିୟା ସୃଷ୍ଟି ହୋଇଛି। ଅପରପକ୍ଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଏହି ଅଭଦ୍ରୋଚିତ ବ୍ୟବହାରର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ରୋଲ୍ ହୋଇଛି। ଏଥିରେ ଇମ୍ରାନ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ସାଉଦି ଆରବର ପବିତ୍ର ସହର ମକ୍କା ଠାରେ ଆୟୋଜିତ ହେବାକୁ ଥିବା ‘ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋ-ଅପରେସନ୍’ (ଓଆଇସି)ର ବୈଠକ ପୂର୍ବରୁ ମକ୍କା ଠାରେ ସାଉଦି ଆରବର ରାଜା ସଲମାନ୍ ବିନ୍ ଅବଦୁଲ୍ଲାଜିଜ୍ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକର ଆୟୋଜନ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ଜଣେ ନିମନ୍ତ୍ରିତ ଅତିଥି ଭାବେ ବୈଠକରେ ଯୋଗ ଦେବାକୁ ଆସିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ବୈଠକରେ ଯୋଗ ଦେବାକୁ ଯାଇଥିବା ସମୟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ସ୍ୱାଗତ କରିଥିଲେ ସାଉଦି ଆରବର ରାଜା ସଲମାନ୍ ବିନ୍ ଅବଦୁଲ୍ଲାଜିଜ୍। ହେଲେ, ଇମ୍ରାନ୍ ସେଠାରେ କୂଟନୈତିକ ‘ପ୍ରଟୋକଲ୍’କୁ ଅବମାନନା କରି ସର୍ବ ସମ୍ମୁଖରେ ଅସମ୍ମାନ ଓ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରିଥିଲେ। ମଧ୍ୟପ୍ରାଚ୍ୟର ସର୍ବମାନ୍ୟ ରାଜା ସଲମାନଙ୍କ ସହ ସିଧାସଳଖ କଥା ନହୋଇ ତାଙ୍କୁ ଆଙ୍ଗୁଠି ଦେଖାଇ ତାଙ୍କ ‘ଇଣ୍ଟରପ୍ରିଟର’ଙ୍କ ସହ କଥା ହୋଇଥିଲେ ଇମ୍ରାନ। ଏପରିକି ନିଜର ବକ୍ତବ୍ୟ ବା କଥା ଶେଷ ପୂର୍ବରୁ ଏବଂ ଇଣ୍ଟରପ୍ରିଟର ତାଙ୍କ କଥାକୁ ଅନୁବାଦ କରି ରାଜାଙ୍କୁ ଶୁଣାଉଥିବା ବେଳେ ଇମ୍ରାନ୍ ରାଜାଙ୍କ ଠାରୁ ଆନୁଷ୍ଠାନିକ ବିଦାୟ ନନେଇ କଥା ହେଉଥିବା ଅବସ୍ଥାରେ ତାଙ୍କୁ ଆଙ୍ଗୁଠି ଦେଖାଇ ପଛକୁ ବୁଲି ସେଠାରୁ ଚାଲି ଯାଇଥିଲେ। ଇମ୍ରାନଙ୍କ ଏ ପ୍ରକାର ଅଭଦ୍ର ଆଚରଣ ପ୍ରଦର୍ଶନ ମାମଲାରେ ପାକିସ୍ତାନକୁ ନିଜର ତୀବ୍ର ଅସନ୍ତୋଷ ଜଣାଇ ଦେଇଛି ସାଉଦି ଆରବ। ସାଉଦି ରାଜା ସଲମାନ୍ ପାକ୍ ପ୍ରଧାନମନ୍ତ୍ରୀଙ୍କ ସହ କରିବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନା ସମେତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ରଦ୍ଦ କରି ଦେଇଛନ୍ତି।