ଅକ୍ଟୋବର ୩ ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓକିଲ ନଇମ ପଞ୍ଜୁଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ଜେଲରେ ମାନସିକ ନିର୍ଯାତନା ଦିଆଯାଉଛି ଏବଂ ତାଙ୍କର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି । ତାଙ୍କୁ ଖାଦ୍ୟରେ ସ୍ଲୋ ପଏଜନ ଦେଇ ଜେଲରେ ହତ୍ୟା କରାଯାଇପାରେ ।

Advertisment

ଜେଲରେ ଇମ୍ରାନଙ୍କୁ ନିର୍ଯାତନା ଦିଆଯାଉଛି

ପଞ୍ଜୁଥା କହିଛନ୍ତି ଯେ ଅକ୍ଟୋବର ୨ ତାରିଖ ରାତିରେ ରାୱଲପିଣ୍ଡିର ଆଡିଆଲା ଜେଲର ଏକ ନିମ୍ନ ଶ୍ରେଣୀ କୋଠରୀକୁ ଇମ୍ରାନ ଖାନଙ୍କୁ ପଠାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସେପ୍ଟେମ୍ବର ୨୬ ରେ ଆଟକ ଜେଲରୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସେଲ୍ ବାହାରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବାପାଇଁ ସରକାର ନୂଆ ନୂଆ କୋଶଳ ଗ୍ରହଣ କରୁଛନ୍ତି ।

ନଇମ ପଞ୍ଜୁଥା କହିଛନ୍ତି ଯେ ଜେଲରେ ଥିବା ଇମ୍ରାନ ଖାନଙ୍କ ସ୍ଥିତି ଜାଣିବା ପାଇଁ ମୁଁ ଇସଲାମାବାଦ ହାଇକୋର୍ଟରେ ଏକ ଆବେଦନ କରିଥିଲି, ଯାହାର ଶୁଣାଣି  ଅକ୍ଟୋବର ୫ ତାରିଖରେ ହେବାର ଅଛି । ଇମ୍ରାନ ଖାନଙ୍କ ଓକିଲ କହିଛନ୍ତି, 'ମୁଁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବୁଶରା ବିବି ଅକ୍ଟୋବର ୩ ରେ ଇମ୍ରାନ ଖାନଙ୍କୁ ଭେଟିଥିଲୁ । ତୋସାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଖାନଙ୍କୁ ଅଗଷ୍ଟ ୫ ରେ ଗିରଫ କରାଯାଇଥିଲା । ଗତ ବର୍ଷ ଏପ୍ରିଲରେ ପ୍ରଧାନମନ୍ତ୍ରୀ  ପଦ ଛାଡିବା ପରେ ତାଙ୍କୁ ଅନେକ ମାମଲାରେ ଜଡିତ କରାଯାଇଥିଲା ।  ନଅଟି  ଭିନ୍ନ ଭିନ୍ନ ମାମଲାରେ ବିଭିନ୍ନ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ଏଡ଼ାଇ ସୋମବାର ହାଇକୋର୍ଟ ଖାନଙ୍କ ଜାମିନକୁ ପୁନଃ ସ୍ଥାପିତ କରିଛନ୍ତି ।

ତୋସାଖାନା ମାମଲା ଦୁଇପଟରୁ ଚାଲିଛି । କୋର୍ଟରେ ଏହାର ଶୁଣାଣି ଚାଲିଛି । ଏହା ବ୍ୟତୀତ ଦୁର୍ନୀତି ନିବାରଣ ଏଜେନ୍ସି ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ପଚରାଉଚରା ପାଇଁ ସମନ ଜାରିକରିଛନ୍ତି । କାରଣ ବୁଶରା ହିଁ ତୋସାଖାନାରୁ  କୋଟି କୋଟି ଟଙ୍କା ମୂଲ୍ୟର ଉପହାର ବିକ୍ରୟ ପାଇଁ ଦେଇଥିଲେ ।ବୁଶରା ବିବିଙ୍କୁ ମଧ୍ୟ ଅନୁସନ୍ଧାନକାରୀ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ପଡ଼ିବ । ଅଦ୍ୟାବଧି ଅନୁସନ୍ଧାନକାରୀ ସଂସ୍ଥା ବୁଶରାଙ୍କୁ ମୋଟ ୧୩ ଥର ହାଜର ହେବାକୁ ନୋଟିସ୍ ଦେଇଛନ୍ତି, କିନ୍ତୁ ସେ ଥରେ ମଧ୍ୟ ହାଜର ହୋଇନାହାଁନ୍ତି । ଏହା ପରେ ଅନୁସନ୍ଧାନକାରୀ ସଂସ୍ଥା ଖବରକାଗଜରେ ଏକ ବିଜ୍ଞାପନ ବାହାର କରି କହିଥିଲେ ଯେ ଯଦି ବୁଶରା ବିବି ନଆସନ୍ତି ତେବେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯିବ ।

ଏହା ପରେ ଇମ୍ରାନ ଲାହୋର ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ସେ କହିଥିଲେ ଯେ ମୋ ପତ୍ନୀ ଜଣେ ଗୃହିଣୀ ଏବଂ ରାଜନୀତି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।  ତେଣୁ ତାଙ୍କୁ ପଚରାଉଚରା କରିବାପାଇଁ ଡାକିବାରୁ ମୁକ୍ତି ଦିଆଯାଉ । ଅନ୍ୟପକ୍ଷରେ ସେହି ରିପୋର୍ଟରେ କୁହାଯାଇଛି ଯେ ଇମ୍ରାନଙ୍କ ବିରୋଧରେ ବହୁତ ଦୃଢ ପ୍ରମାଣ ଅଛି ଏବଂ ଏହି କାରଣରୁ ସେମାନେ କିଛି ନା କିଛି ବାହାନା କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିବାକୁ ଚାହୁଁଛନ୍ତି ।

ସିକ୍ରେଟ ଲେଟର ଚୋରି ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଥିଲେ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାଇଫର ପଢିବା ପାଇଁ ନେଇଥିଲେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳର ଉପରାଷ୍ଟ୍ରପତି ଶାହ ମହମୁଦ କୁରେଶୀଙ୍କୁ ସେପ୍ଟେମ୍ବର ୩୦ ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ଉଭୟଙ୍କୁ ସାଇଫର ମାମଲାରେ ଅଭିଯୁକ୍ତ କରିଛି । ଖାନ ଏବଂ କୁରେଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଏବଂ ସେମାନଙ୍କ ଉପରେ ଜରିମାନା ଆଦାୟ କରିବାକୁ FIA କୋର୍ଟକୁ ନିବେଦନ କରିଛି । ଅଗଷ୍ଟ ୨୯ ରେ ସାଇଫର ଗେଟ୍ ଦୁର୍ନୀତିରେ ଖାନଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାର ଚାର୍ଜସିଟରେ କୁହାଯାଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଖରେ ସାଇଫର ଥିଲା ଏବଂ ସେ ଦେଶର ଗୁପ୍ତ ତଥ୍ୟର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି ।