କନକ ବ୍ୟୁରୋ : ପାକିସ୍ତାନର ଇମ୍ରାନ ଖାନଙ୍କ ସରକାର ଉପରେ ଏବେ ବିପଦର କଳାବାଦଲ ଛାଇ ହୋଇଯାଇଛି । ପାକିସ୍ତାନ ସିନେଟ୍ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିପିପି ପାର୍ଟିର ବରିଷ୍ଠ ନେତା ୟୁସୁଫ୍ ରାଜା ଗିଲାନୀ ଇସଲାମାବାଦରୁ ବିଜୟୀ ହୋଇଛନ୍ତି । ସେଠାରେ ତାଙ୍କୁ ୧୬୯ ଟି ଭୋଟ ମିଳିଥିବା ବେଳେ ଇମ୍ରାନଖାନଙ୍କ ପାର୍ଟି ପିଟିଆଇ ପରାଜୟ ବରଣ କରିଛି ।

Advertisment

ଅନ୍ୟପଟେ ପିଡିଏସ୍ ନେତା ମାରିୟମ ନୱାଜ ବି ଇମ୍ରାନଖାନ ସରକାର ଉପରେ ଚାପ ପକାଇବା ସହ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଘୋଷଣା କରିଛନ୍ତି । ଏନେଇ ୧୧ ଟି ରାଜନୈତିକ ଦଳର ମିଳିତ ବୈଠକ ପରେ କରାଯିବ ବୋଲି କୁହାଯାଇଛି । ସେପଟେ ସିନେଟ୍ ନିର୍ବାଚନରେ ଇମ୍ରାନ ଖାନଙ୍କ ସରକାରରେ ଅର୍ଥମନ୍ତ୍ରୀ ହାରିବା ପରେ ବିଶ୍ୱାସ ମତ ହାସଲ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଇମ୍ରାନ ଖାନଙ୍କ ନିକଟତମ ସହଯୋଗୀ ତଥା ଅର୍ଥମନ୍ତ୍ରୀ ଅବ୍ଦୁଲ ହଫିଜ୍ ଶେଖ ବୁଧବାର ଦିନ ସିନେଟ ନିର୍ବାଚନରେ ୟୁସୁଫ୍ ରାଜା ଗିଲାନୀଙ୍କ ଠାରୁ ପରାଜିତ ହୋଇଛନ୍ତି ।  ଇମ୍ରାନ ଖାନ୍ ପିଟିଆଇ ଅଧ୍ୟକ୍ଷ ଥିବାରୁ ସେ ତାଙ୍କ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ କରିଥିଲେ । ହେଲେ ପିପିପି ନେତା ଗିଲାନୀ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହୋଇବି ବିଜୟଲାଭ କରିଥିଲେ । ଗିଲାନୀଙ୍କ ବିଜୟ ପରେ ବିରୋଧୀଦଳ ଦାବି କରିଥିଲା କି ଇମ୍ରାନ ଖାନ୍ ତୁରନ୍ତ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ।

ନିର୍ବାଚନ ଫଳା ଫଳ ଘୋଷିତ ହେବା ପରେ ଇମ୍ରାନ ସରକାରରେ ବିଦେଶମନ୍ତ୍ରୀ ଥିବା ମହମ୍ମୁଦ କୁରେସୀ କହିଥିଲେ କି ପ୍ରଧାନମନ୍ତ୍ରୀ ବିଶ୍ୱାସମତ ହାସଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ଷମତାରେ ଥିବା ସରକାରୀ ଦଳର ଉପାଧ୍ୟକ୍ଷ କୁରେସୀ ଆହୁରି କହିଛନ୍ତି କି ଏହାଉପରେ ଦଳୀୟ ବୈଠକରେ ଆଲୋଚନା କରାଯାଇ ସବିଶେଷ ନିଷ୍ପତ୍ତି ଗ୍ରହଣ କରାଯିବ ।