କନକ ବ୍ୟୁରୋ : ପାକିସ୍ତାନ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର କେଉଁ ମୁହୂର୍ତ୍ତରେ ଭୁଷୁଡିପଡିବ ତାହା କହିବା ମୁସ୍କିଲ । ତେବେ ଏସବୁ ଭିତରେ ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ଖବର ମିଳିବା ପରେ ସୁରକ୍ଷାକୁ କଡାକଡି କରାଯାଇଛି । ଇମ୍ରାନ ସରକାରରେ ମନ୍ତ୍ରୀ ଥିବା ଫୱାଦ ଚୌଧୁରୀଙ୍କ କହିବା ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଇମ୍ରାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇପାରେ । ତେଣୁ ଇମ୍ରାନଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷାବ୍ୟବସ୍ଥାକୁ ପୂର୍ବପେକ୍ଷା ଅଧିକ କଡାକଡି କରାଯାଇଛି ।
ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେବା ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଚର୍ଚ୍ଚା ବଢିଛି । ରାଜନୈତିକ ମୈଦାନରେ ଅବିଶ୍ୱାସ ପ୍ରସ୍ତାବ ସାମ୍ନା କରୁଥିବା ଇମ୍ରାନ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ନିଜର କାର୍ଯ୍ୟକାଳ ଶେଷ କରିବା ପରେ ହିଁ ପ୍ରଧାନମନ୍ତ୍ରୀ ପଦ ଛାଡିବି । କିନ୍ତୁ ଇମ୍ରାନଙ୍କ ଏହି ବୟାନ ଭିତରେ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଥିବାର ଖବର ସାମ୍ନାକୁ ଆସିଛି । ଯାହା ପାକିସ୍ତାନ ରାଜନୀତିର ପାରା ବଢାଇ ଦେଇଛି ।
ଇମ୍ରାନଙ୍କୁୁ ସରକାର ବଞ୍ଚାଇବାକୁ ହେଲେ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦର ୧୭୨ ଭୋଟ ନିଜ ସପକ୍ଷକୁ ଆଣିବାକୁ ହେବ । କିନ୍ତୁ ଏବେ କ୍ଷମତାସୀନ ଗଠବନ୍ଧନ ପାଖରେ ୧୬୪ ଜଣ ସାଂସଦ ରହିଛନ୍ତି । ଅନ୍ୟପଟେ ବିପକ୍ଷ ଦଳ ପାଖରେ ୧୭୭ ସାଂସଦଙ୍କ ସମର୍ଥନ ରହିଥିବା କୁହାଯାଉଛି । କିନ୍ତୁ ଏଯାବତ୍ ମାତ୍ର ୧୭୨ ଜଣ ସଂସଦରେ ଉପସ୍ଥିତ ରହିଛନ୍ତି । ତେଣୁ ପାକିସ୍ତାନ ରାଜନୀତିର ଗତି ଆଗକୁ କୁଆଡେ ଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।