କୁଳଭୂଷଣଙ୍କୁ ନେଇ ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତିକୁ ସ୍ୱାଗତ କଲେ ପାକ୍ ପ୍ରଧାନମନ୍ତ୍ରୀ: ଇମ୍ରାନ କହିଲେ, ମୁକ୍ତ ନ କରିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ

362

କନକ ବ୍ୟୁରୋ: କୁଳଭୂଷଣ ମାମଲାରେ ପାକିସ୍ତାନର ଆଉ ଏକ ଚାଲ୍ । ଅନ୍ତର୍ଜାତୀୟ ଅଦାଲତର ରାୟ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିବା ସହ ଇମ୍ରାନ୍ ଆଇସିଜେର ନିଷ୍ପତିକୁ ସ୍ୱାଗତ କରିଥିବା କହିଛନ୍ତି । କୁଳଭୂଷଣ ଯାଦବକୁ ମୁକ୍ତ କରିବା କିମ୍ବା ଭାରତକୁ ଫେରାଇବା ନେଇ ଆଇସିଜେ ରାୟ ଦେଇନଥିବାରୁ ଏହି ନିଷ୍ପତିକୁ ସେ ସ୍ୱାଗତ କରୁଥିବା ଟୁଇଟରେ କହିିଛନ୍ତି ।

ଇମ୍ରାନ୍ ଖାନଙ୍କ ଏହି ଟୁଇଟ୍ ସହିତ ପୁଣି ଥରେ ସାମ୍ନାକୁ ଆସିଛି ପାକିସ୍ତାନର ଦୋମୁହାଁ ନୀତି । କାରଣ ଗତକାଲି ପାକିସ୍ତାନରେ ବନ୍ଦୀ ଜୀବନ କାଟୁଥିବା ଭାରତୀୟ ନାଗରିକ କୂଳଭୂଷଣଙ୍କୁ ଫାଶୀ ଦେଇ ପାରିବନି ପାକିସ୍ତାନ ବୋଲି ଅନ୍ତର୍ଜାତୀୟ କୋର୍ଟଙ୍କ ନିର୍ଦ୍ଦେଶ ଆସିଥିଲା । ଯାହାକି ଭାରତକୁ ଏକ ବଡ ସଫଳତା ଆଉ ପାକିସ୍ତାନକୁ ଅନ୍ତର୍ଜାତୀୟ ମହଲରେ ବଡ ଝଟକା ଥିଲା । ହେଲେ ଆଇସିଜେଙ୍କ ରାୟକୁ ନିଜକୁ ସୁହାଇବା ଢଙ୍ଗରେ ଉପସ୍ଥାପନ କରି ଟୁଇଟ୍ କରିଛନ୍ତି ଇମ୍ରାନ୍ ଖାନ୍ ।

ଆଇସିଜେ ନିଜ ରାୟରେ ପ୍ରଥମେ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ସହିତ ରାୟର ପୁର୍ନବିଚାର କରିବାକୁ ପାକିସ୍ତାନକୁ କହିଥିଲେ । ଭିଏନା ଚୁକ୍ତି ଅନୁସାରେ କୁଳଭୂଷଣଙ୍କୁ ସମସ୍ତ ଆଇନଗତ ସହାୟତା ଓ ଦୂତାବାସ ସହ ଯୋଗାଯୋଗର ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅନ୍ତର୍ଜାତୀୟ ଅଦାଲତ । ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍ ସ୍ପଷ୍ଟ କରୁଛି ଆଇସିଜେର ରାୟରୁ ପାକିସ୍ତାନ କିଛି ବି ବୁଝି ପାରିନି । ନଚେତ୍ ସବୁ ବୁଝିବା ପରେ ବି ନବୁଝିବା ପରି ବାଚାଳାମି କରୁଛି ।