ପାକିସ୍ତାନରେ କ୍ରିକେଟ୍ ଖେଳିବାକୁ ରାଜି ହେଉନାହାନ୍ତି କୌଣସି ଦେଶ । ଇମ୍ରାନ କହିଲେ, ପୂରା ବିଶ୍ୱର କ୍ରିକେଟକୁ ନିୟନ୍ତ୍ରଣ କରୁଛି ଭାରତ ।

1,060

କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ନବ ନିର୍ବାଚିତ ଅଧ୍ୟକ୍ଷ ରମିଜ୍ ରାଜାଙ୍କ ବିସିସିଆଇକୁ ନେଇ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏକ ସାକ୍ଷାତକାରରେ ଇମ୍ରାନ ଖାନ ମଧ୍ୟ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆଜିର ସମୟରେ ଅର୍ଥ ହିଁ ସବୁ କିଛି । ଭାରତର କ୍ରିକେଟ୍ ବୋର୍ଡ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ । ଭାରତ ପାଖରେ ଅର୍ଥ ଅଛି ତେଣୁ ଭାରତ ବର୍ତ୍ତମାନ ବିଶ୍ୱ କ୍ରିକେଟକୁ ନିୟନ୍ତ୍ରଣ କରୁଛି । ଇମ୍ରାନ ଖାନ କହିଛନ୍ତି ଯେ କୌଣସି ବି ଦେଶର କ୍ରିକେଟ ବୋର୍ଡ ଭାରତ ସହ କ୍ରିକେଟ ମ୍ୟାଚ ବାତିଲ କରିବାକୁ ଚିନ୍ତା ବି କରିବେ ନାହିଁ । କାରଣ ସେମାନେ ଜାଣନ୍ତି ଯେ ଭାରତ କ୍ରିକେଟ ବୋର୍ଡ ବହୁତ ଟଙ୍କା ରୋଜଗାର କରେ ।

ଅତୀତରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏକ ବଡ଼ ଝଟକାର ସମ୍ମୁଖୀନ ହେବାକୁ ପଡିଥିଲା, ଯେତେବେଳେ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ମ୍ୟାଚ ବାତିଲ କରିଥିଲା । ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ନ୍ୟୁଜିଲାଣ୍ଡ ସହ ଇଂଲଣ୍ଡ ମଧ୍ୟ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଥିଲେ । ସେ କହିଛନ୍ତି ଯେ କେବଳ ଖେଳାଳି ନୁହଁନ୍ତି ବିଭିନ୍ନ ଦେଶର ବୋର୍ଡ ମଧ୍ୟ ଭାରତରୁ ଟଙ୍କା ପାଆନ୍ତି । ଏହି କାରଣରୁ ଭାରତ ସମଗ୍ର ବିଶ୍ୱର କ୍ରିକେଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଛି । ସୂଚନା ଥାଉ କି ନିକଟରେ ପିସିବି ଅଧ୍ୟକ୍ଷ ରମିଜ ରାଜା କହିଥିଲେ ଯେ ଯଦି ବିସିସିଆଇ ଆଇସିସିର ପାଣ୍ଠି ବନ୍ଦ କରିଦିଏ, ତେବେ ପାକିସ୍ତାନ ବର୍ବାଦ ହୋଇଯିବ । ସିନେଟ୍‌ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ହାଜର‌ ହେବା ବେଳେ ରମିଜ୍‌ କହିଥିଲେ ‘ପିସିବିକୁ ଏବେଠାରୁ ଆଇସିସି ଉପରେ ନିର୍ଭରଶୀଳତାକୁ କମାଇବା ଆବଶ୍ୟକ ।

ସ୍ଥାନୀୟ ବଜାର ଉପରେ ନିର୍ଭର କରିବାକୁ ପଡ଼ିବ । ଆଇସିସି ଏକ ରାଜନୈତିକ ବିଭାଜିତ ଗୋଷ୍ଠୀ ଭାବେ ପରିଚିତ । ଆଇସିସିର ୯୦ ପ୍ରତିଶତ ରାଜସ୍ୱ ଭାରତରୁ ଆସୁଛି । ଏହା ଭୟାବହ ସ୍ଥିତି ଆଣୁଛି’‌ ବୋଲି ରମିଜ୍ କହିଥିଲେ । ପିସିବିର ୫୦ ପ୍ରତିଶତ ପାଣ୍ଠି ଆଇସିସିରୁ ଆସିଥାଏ‌ ବୋଲି ‌ମଧ୍ୟ ସେ ସ୍ୱୀକାର କରିଥିଲେ । ଭାରତୀୟ ବ୍ୟାବସାୟିକ ପ୍ରତିଷ୍ଠାନ ଯେଭଳି ଭାବେ ପାକିସ୍ତାନ କ୍ରିକେଟ୍‌କୁ ପରିଚାଳିତ କରୁଛନ୍ତି ଯଦି ଭବିଷ୍ୟତରେ ଭାରତର ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ପାଣ୍ଠି ଯୋଗାଣ ବନ୍ଦ କରିଦେବେ ତେବେ ପିସିବି ଭୁଶୁଡ଼ି ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ ।