ନିଜ ଦେଶର ଖବର କାଗଜରେ ଉଡିଲା ଇମ୍ରାନ ଖାନଙ୍କର ମଜାକ୍ । । ମୋଦି-ଟ୍ରମ୍ପ ରିକ୍ସାରେ ବସିଛନ୍ତି, ଆଉ ଇମ୍ରାନ ଖାନ ରିକ୍ସା ଟାଣୁଥିବାର କଲେ କାର୍ଟୁନ

456

କନକ ବ୍ୟୁରୋ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ନିଜ ଦେଶରେ ବି ମିଳୁନାହିଁ ସମ୍ନାନ । କେତେବେଳେ ଯେ, କିଏ ତାଂକର ମଜାକ୍ ଉଡାଉଛି ତାହା କିଛି ଠିକ ନାହିଁ । ତେବେ ବର୍ତମାନ ସମୟରେ ଯେପରି ଭାବରେ ତାଙ୍କର ମଜାକ୍ ଉଡାଯାଇଛି ତାହାକୁ ନେଇ ନିଜ ଦେଶ ପାକିସ୍ତାନରେ ମଧ୍ୟ ବେଶ ସରଗରମ ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀର ଘଟଣାରେ ଜାତିସଂଘରେ ମଧ୍ୟସ୍ଥତା କରିବାର ବୃଥା ଉଦ୍ୟମକୁ ନେଇ କଟାକ୍ଷ କରାଯାଇଛି ଇମ୍ରାନଙ୍କୁ । ଏହି ବିବାଦୀୟ ବ୍ୟଙ୍ଗଚିତ୍ରରେ ଦେଖାଯାଉଛି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସିଥିବା ଗୋଟାଏ ରିକ୍ସା ଗାଡ଼ିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଟାଣୁଛନ୍ତି। ଗାଡ଼ିଚଢ଼ାରେ ବେଶ ଖୁସି ହୋଇ ଉଭୟ ଟ୍ରମ୍ପ୍ ଓ ମୋଦୀ ହସୁଥିବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ କଶ୍ମୀର ମଧ୍ୟସ୍ଥତା ପ୍ରସଙ୍ଗ ଭାବୁଛନ୍ତି।

ଯାହାକୁ ନେଇ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ଚିତ୍ରଟି ଗତ ବୁଧବାର ଦିନ ପ୍ରକାଶ କରିଥିବା ‘ଦି ନେସନ୍’ ନାମକ ଖବରକାଗଜ ଟୁଇଟ୍ କରି କହିଛି ଯେ ଯେଉଁ ଉଦ୍ଦେଶ୍ୟରେ ଏହି ବ୍ୟଙ୍ଗଚିତ୍ର ଅଙ୍କିତ ତାହା ଚରିତାର୍ଥ ନ ହେବାରୁ ସେମାନେ କ୍ଷମା ପ୍ରାର୍ଥନା କରୁଛନ୍ତି । ଏହାସହ ସେମାନେ ଆହୁରି କହିଛନ୍ତି ଯେ ସେମାନଙ୍କ ସମ୍ପାଦକୀୟ ନୀତିକୁ ପ୍ରତିଫଳିତ କରୁ ନ ଥିବାରୁ ବ୍ୟଙ୍ଗଚିତ୍ରଟି ତାଙ୍କ କାଗଜରେ ପ୍ରକାଶ ପାଇବା ଅନୁଚିତ ଥିଲା। ଆମେ ଗୋଟାଏ ଜାତୀୟତାବାଦୀ ଖବରକାଗଜ ହୋଇଥିବାରୁ ଗର୍ବିତ। ବିଶେଷକରି, ନ୍ୟୁୟର୍କ ଠାରେ ଜାତିସଂଘ ସାଧାରଣ ପରିଷଦ ବୈଠକ ଚାଲିଥିବା ବେଳେ ଅସଙ୍ଗତ ଚିତ୍ରଟି ପ୍ରକାଶ କରିଥିବାରୁ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ। ତେବେ ଏହି ଖବର କାଗଜରେ ପ୍ରକାଶିତ ହୋଇଥିବା ଚିତ୍ରକୁ ବେଶ କିଛି ଲୋକ ପସନ୍ଦ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।