ପାକିସ୍ତାନ ରାଜନୀତିରେ ଥମୁନି ଝଡ । ଦେଶର ନୂଆ କାମଚଳା ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କଲେ ଇମ୍ରାନ ଖାନ୍ ।

237

କନକ ବ୍ୟୁରୋ : ପାକିସ୍ତାନ ରାଜନୀତିରେ ଉଠିଥିବା ଝଡ ଥମିବାର ନାଁ ନେଉନାହିଁ । କାହା ହାତକୁ ଦେଶ ସମ୍ଭାଳିବାର ଗୁରୁ ଦାୟିତ୍ୱ ଯିବ ସେନେଇ ଲାଗି ରହିଛି ହାଇ ଡ୍ରାମା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜ ଦଳର ପରାମର୍ଶ ନେବା ପରେ ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାର ଅହମଦଙ୍କ ନାମ କାମଚଳା ପ୍ରଧାନମନ୍ତ୍ରୀ ପାଇଁ ସୁପାରିଶ କରିଛନ୍ତି ।

ଇମ୍ରାନଙ୍କ ପରେ ଗୁଲଜାର ଅହମ୍ମଦ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ! କାମଚଳା ପ୍ରଧାନମନ୍ତ୍ରୀ ହେବେ ପୂର୍ବତନ ମୁଖ୍ୟ ବିଚାରପତି ! ପାକିସ୍ତାନ ରାଜନୀତିରେ ଦିନକୁ ଦିନ ନୂଆ ନୂଆ ଡ୍ରାମା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦେଶର ନୂଆ କାମଚଳା ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହାପରେ ନିଜ ଦଳ ପାକିସ୍ତାନ ତେହରିକ-ଏ-ଇନସାଫର ବରିଷ୍ଠ ରାଜନେତାଙ୍କ ସହ ଆଲୋଚନା କରି ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦଙ୍କୁ ଦେଶର ନୂଆ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି ଇମ୍ରାନ ଖାନ୍ ।

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ
– ଗୁଲଜାର ଅହମ୍ମଦ ୨୧ ଡିସେମ୍ବର ୨୦୧୯ରୁ ୧ ଫେବ୍ରୁଆରୀ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ୨୭ତମ ମୁଖ୍ୟ ବିଚାରପତିର ଦାୟିତ୍ୱ ତୁଲାଇଛନ୍ତି ।
– ସୋମବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲବି, ଇମ୍ରାନ ଖାନଙ୍କୁ ଦେଶରେ ପରବର୍ତୀ ନିର୍ବାଚନ ପର୍ଯ୍ୟନ୍ତ ଜଣେ କାମଚଳା ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାକୁ କହିଥିଲେ ।
– କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପର୍ଯ୍ୟନ୍ତ ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ ବୋଲି ରାଷ୍ଟ୍ରପତି କହିଛନ୍ତି ।

୩୪୨ ଆସନ ବିଶିଷ୍ଟ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ବହୁମତ ପାଇଁ ଇମ୍ରାନ ଖାନଙ୍କୁ ୧୭୨ଟି ସିଟର ଆବଶ୍ୟକତା ରହିଛି । ତେବେ ତାଙ୍କ ପାଖରେ ୧୭୪ଟି ସାଂସଦଙ୍କ ସମର୍ଥନ ନଥିବା ବିରୋଧୀ ଦାବି କରିଛନ୍ତି । ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ଅପିଲ୍ କରିଥିଲେ । ହେଲେ ନ୍ୟାସନାଲ ଆସେମ୍ବଲିର ଉପାଦକ୍ଷ କାଶିମ ସୁରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ କରିଦେଇଥିଲେ । ଆଉ ଏହି ମାମଲାକୁ ନେଇ ବିରୋଧୀ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯଦି ବିରୋଧୀ ଦଳଙ୍କ ଆବେଦନ ସପକ୍ଷରେ ଫଳାଫଳ ନଆସେ ତାହାଲେ ଦେଶରେ ପୁଣିଥରେ ନିର୍ବାଚନ ହୋଇପାରେ । ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ପାକିସ୍ତାନ ରାଷ୍ଟ୍ରପତି ଅଲବୀ, ଇମ୍ରାନ ଖାନଙ୍କ ସୁପାରିଶରେ ନ୍ୟାସନାଲ ଆସେମ୍ବଲିକୁ ଭଙ୍ଗ କରିଥିଲେ ।