ସଂଖ୍ୟା ଖେଳରେ ଫସିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ନ୍ୟାସନାଲ ଆସେମ୍ବଲିରେ ଭୋଟିଂ କରିବାକୁ ବିରୋଧୀଙ୍କ ଦାବି, ଏପ୍ରିଲ ୩ ଯାଏ ସ୍ଥଗିତ ରହିଲା ସଂସଦ ।

171

କନକ ବ୍ୟୁରୋ : ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଇସ୍ତ୍ରଫା ଦେଇପାରନ୍ତି । ଆଜି ରାତିରେ ସେ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଇମ୍ରାନ ଖାନଙ୍କ ସରକାରକୁ ସମର୍ଥନ କରୁଥିବା ସହଯୋଗୀ ଦଳ ହାତ ଛାଡିଦେଇଛନ୍ତି । ତେଣୁ ସଂସଦରେ ସରକାର ଗଢିବା ପାଇଁ ଆବଶ୍ୟକ ଥିବା ମ୍ୟାଜିକ ନମ୍ବର ହରାଇସାରିଛନ୍ତି ଇମ୍ରାନ୍ । ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାର ଥିଲା । କିନ୍ତୁ ନ୍ୟାସନାଲ ଆସେମ୍ବଲି କିଛି ସମୟ ଚାଲିବା ପରେ ଏପ୍ରିଲ ୩ ଯାଏ ସ୍ଥଗିତ ରଖାଯାଇଛି । ବିରୋଧୀ ସାଂସଦ ଅନାସ୍ଥା ପ୍ରସ୍ତାବ ଉପରେ ଶୀଘ୍ର ଭୋଟିଂ କରିବାକୁ ଦାବି କରିବା ପରେ ସଂସଦ ଅଧିବେଶନକୁ ସ୍ଥଗିତ ରଖାଯାଇଛି ।

ଏହା ପୂର୍ବରୁ କିନ୍ତୁ ବିରୋଧୀ ଦଳର ନେତା ଶାହବାଜ ସରିଫଙ୍କ ସହ ଇମ୍ରାନ୍ ବୈଠକ କରିଥିବା ସୂଚନା ରହିଛି । ଯଦି ବିରୋଧୀ ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର କରିବେ ତାହେଲେ ସେ ସରକାର ଭାଙ୍ଗିବାକୁ ପ୍ରସ୍ତାବ ଦେଇଥିବା ସୂଚନା ରହିଛି । ଅନ୍ୟପଟେ ଇମ୍ରାନ ପାକିସ୍ତାନ ସେନାର ମୁଖ୍ୟ ଜେନେରାଲ ବାଜୱାଙ୍କଠୁ ସମ୍ମାନଜନକ ବିଦାୟ ମାଗିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଇମ୍ରାନ ଦାବି କରିଛନ୍ତି ଯେ ତାଙ୍କ ସରକାରକୁ ଭାଙ୍ଗିବା ପଛରେ ରହିଛି ବିଦେଶୀ ଶକ୍ତି । ଯଦି ସେ ଏବେ ସରକାର ଭାଙ୍ଗିବେ ଏବଂ ସାଧାରଣ ନିର୍ବାଚନ ହେବ ତାହେଲେ ଇମ୍ରାନ ଖାନ ପୁଣିଥରେ ନିର୍ବାଚିତ ହେବେ ବୋଲି ବିଶ୍ୱାସ ରଖିଥିବା ଆକଳନ କରିଛନ୍ତି ପାକିସ୍ତାନୀ ଗଣମାଧ୍ୟମ ।