କରୋନା ସଂକ୍ରମିତ ହୋଇଥିବା ଜାଣିବା ପରେ ବି ସହଯୋଗୀଙ୍କ ସହ ବୈଠକ କରୁଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଖବର ପ୍ରଚାରିତ ହେବାପରେ ଚାରିଆଡୁ ସମାଲୋଚିତ

128

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ପଜିଟିଭ୍ ହେବା ପରେ ବି ସେ ତାଙ୍କର ଗଣମାଧ୍ୟମ ଦଳଙ୍କ ସାମ୍ନାରେ ବସି ବୈଠକ କରୁଥିବା ଦେଖାଯାଇଛି । ଯାହାଫଳରେ ତାଙ୍କୁ ଦେଶର ଜନତା ଓ ବିରୋଧୀଦଳ ମାନଙ୍କର ସମାଲୋଚନାରେ ଶିକାର ହେବାକୁ ପଡିଛି । ଗଣମାଧ୍ୟରେ ଶୁକ୍ରବାରଦିନ ପ୍ରକାଶିତ ଏକ ଖବରରୁ ସୂଚନା ମିଳିଛି କି ଇମ୍ରାନ ଖାନ୍ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କ କୋଭିଡ୍ ରିପୋର୍ଟ ଗତ ଶନିବାର ଦିନ ପଜିଟିଭ ଆସିଥିଲା । ଏହି ରିପୋର୍ଟ ଆସିବାର ମାତ୍ର ଅଳ୍ପକିଛିଦିନ ପୂର୍ବରୁ ଇମ୍ରାନ କରୋନା ଟିକା ନେଇଥିଲେ ।

ପାକିସ୍ତାନୀ ଖବରକାଗଜ ‘ଡନ୍’ ରେ ପ୍ରକାଶିତ ଖବର ମୁତାବକ ଶୁକ୍ରବାର ଦିନ ବେନିଗାଲା ସ୍ଥିତ ନିଜର ବାସଭବନରେ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶିବଲୀ ଫରାଜ, ସାଂସଦ ପୈଶଲ ଜାଭେଦ୍ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ । ଯାହାର ଫଟୋ ସେମାନେ ସୋସିଆଲ ମିଡିଆରେ ଛାଡିଥିଲେ । ଏହି ଚିତ୍ରରେ ଇମ୍ରାନ ଖାନ ସେମାନଙ୍କ ସାମ୍ନାରେ ବସି କୌଣସି ଏକ ବିଷୟରେ ଆଲୋଚନା କରୁଛନ୍ତି । ଏହି ଚିତ୍ର ସାମ୍ନାକୁ ଆସିବାରେ ପରେ ବିରୋଧୀ ମାନେ ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀଦଳ ନେତା କହିଛନ୍ତି କି ପ୍ରଧାନମନ୍ତ୍ରୀ ନିଜେ କୋଭିଡ୍ ନିୟମ ଉଲଙ୍ଘନ କରିଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହେବା ଦରକାର ।

କହିରଖୁ କି ପାକିସ୍ତାନରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ଗଠନ କରାଯାଇଥିବା ସଂସ୍ଥା ‘ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେଶନ ସେଣ୍ଟର’ ଦ୍ୱାରା ଜାରି କରାଯାଇଥିବା ନିୟମ ମୁତାବକ କୋଭିଡ୍ ପଜିଟିଭ ଚିହ୍ନଟ ବ୍ୟକ୍ତି ୧୪ ଦିନ ପାଇଁ ସଂଗରୋଧରେ ରହିବା ବାଧ୍ୟତା ମୂଳକ । ହେଲେ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ ପଜିଟିଭ୍ ଚିହ୍ନଟ ହେବାର ମାତ୍ର ୪ ଦିନ ପରେ ଏଭଳି ମିଟିଂ କରିଛନ୍ତି ।