ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ବୟାନ । କହିଲେ, ଆରଏସଏସ ପୁସ୍ତକରୁ ଶିକ୍ଷାଲାଭ କରିଛନ୍ତି ଇମ୍ରାନ ଖାନ

153

କନକ ବ୍ୟୁରୋ : ତୋଶାଖାନା ମାମଲାରେ ଏବେ ଅଡୁଆରେ ପଡିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏହାକୁ ନେଇ ଏବେ ପାକିସ୍ତାନର ରାଜନୀତି ସରଗରମ ରହିଛି । ହଟ୍ଟଗୋଳ, ଗୁଳିଚାଳନା ଓ ହିଂସାକୁ ନେଇ ବାରମ୍ବାର ଖବର ଆସୁଛି । ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘକୁ ନେଇ ଇମ୍ରାନ ଖାନଙ୍କ ସହ ଯୋଡିଛନ୍ତି ।

ଶାହବାଜ ଶରିଫ ଏକ ଟ୍ୱିଟ୍ କରି ଲେଖିଛନ୍ତି କି, କିଛିଦିନ ହେବ ଇମ୍ରାନ ଖାନଙ୍କ ଫାସିବାଦୀ ଓ ଉଗ୍ରବାଦୀ ପ୍ରବୃତ୍ତି ଉଜାଗର ହୋଇଛି । ସମର୍ଥକଙ୍କୁ ଢାଲ କରି ପୋଲିସ ଉପରେ ପେଟ୍ରୋଲ ବୋମା ପାକାଇବା ସହ ନ୍ୟାୟପାଳିକାକୁ ଭୟଭିତ କରିବାକୁ ଚେଷ୍ଟା କରୁଛନ୍ତି ଇମ୍ରାନ ଖାନ । ଏଭଳି କାମ କରିବା ପୂର୍ବରୁ ସେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର କିଛି ବହି ପଢି ଏଭଳି ଶିକ୍ଷାଲାଭ କରିଥିବା କଥା ଲେଖିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ।

 

ସୂଚନା ଥାଉ କି, ତୋଶାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଡୁଆରେ ପଡିଛନ୍ତି । ଶନିବାର ଦିନ ସେ ନିଜର ସମର୍ଥକଙ୍କ ସହ ଇସଲାମାବାଦ କୋର୍ଟରେ ହଜାର ହେବାକୁ ଯାଉଥିଲେ । ଏହି କ୍ରମରେ ଇମ୍ରାନଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଇମ୍ରାନଙ୍କ ସମର୍ଥକମାନେ ପୋଲିସ ଉପରକୁ ପଥରମାଡ କରିଥିଲେ । ଏହାପରେ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ତରଫରୁ ଗୁଳି ଚାଳନା କରାଯାଇଥିଲା । ଏହାପରେ ଇମ୍ରାନ ଖାନ କୋର୍ଟରେ ପହଂଚିଥିଲେ । ସେଠାରେ ମଧ୍ୟ ସମର୍ଥକମାନଙ୍କ ନାରାବାଜୀ ଦେଖି ବିଚାରପତି ନ୍ୟାୟିକ ପରିସର ବାହାରକୁ ଆସି ଇମ୍ରାନ ଖାନଙ୍କୁ ଫେରିଯିବାକୁ ଅନୁମତି ଦେଇଥିଲେ । ଏହାସହ କୋର୍ଟ ଇମ୍ରାନ ଖାନଙ୍କ ନାମରେ ଜାରି କରିଥିବା ଗିରଫ ୱାରେଣ୍ଟକୁ ରଦ୍ଦ କରିଦେଇଥିଲେ ।