ପାକିସ୍ତାନରେ ରାଜନୈତିକ ଡ୍ରାମା ଜାରି: ଇସ୍ତଫା ପାଇଁ ଇମ୍ରାନ ଖାନ ରଖିଲେ ୩ ସର୍ତ୍ତ

228

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ଡ୍ରାମା ଜାରି ରହିଛି । ଇସ୍ତଫା ଦେବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୩ଟି ସର୍ତ ରଖିଛି । ପ୍ରଥମ ସର୍ତ ହେଲା, ତାଙ୍କୁ ଗିରଫ କରାଯିବ ନାହିଁ । ଦ୍ୱିତୀୟ ସର୍ତ ହେଲା, ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହେବନି ଓ ତୃତୀୟ ସର୍ତ ହେଲା ସାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ କରାନଯାଉ । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣି ଥରେ ନ୍ୟାସନାଲ ଆସେମ୍ବଲିର ଅବସ୍ଥାପନ କରାଯାଇଛି ଓ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ହେଲେ ବିରୋଧୀଙ୍କ ଦାବି ସତ୍ୱେ ଭୋଟି କରାଯାଇ ନାହିଁ ।

ଏପଟେ ଇମ୍ରାନ ଖାନ ରାତି ସାଢ଼େ ୯ରେ ନିଜ କ୍ୟାବିନେଟ ବୈଠକ ଡାକିଛନ୍ତି । ଆଶା କରାଯାଉଛି ଯେ, ହୁଏତ ଏହି କ୍ୟାବିନେଟ ବୈଠକ ପରେ ସେ ଇସ୍ତଫା ଦେଇପାରନ୍ତି, ଅର୍ଥାତ୍ ଅନାସ୍ଥା ପ୍ରସ୍ତାବ ନେଇ ଭୋଟିଂ ପୂର୍ବରୁ ସେ ନିଜ ପଦ ଛାଡ଼ି ପାରନ୍ତି । ସେପଟେ ଏହାର ସଙ୍କେତ ମଧ୍ୟ ମିଳିଛି । କାରଣ ଇମ୍ରାନଙ୍କ କ୍ୟାବିନେଟର ଶକ୍ତିଶାଳୀ ମନ୍ତ୍ରୀ ଫୱାଦ ଚୌଧୁରୀ ନିଜ ଟୁଇଟର ପ୍ରୋଫାଇଲରେ ପୂର୍ବତନ ମନ୍ତ୍ରୀ ବୋଲି ଦର୍ଶାଇଛନ୍ତି । ନ୍ୟାସନାଲ ଏସେମ୍ବଲିରେ ବିରୋଧୀ ଗୋଷ୍ଠୀଙ୍କର ଅଧିକ ସଂଖ୍ୟା ରହିଛି । ତେଣୁ ଭୋଟିଂ ପୂର୍ବରୁ ଇମ୍ରାନ ଇସ୍ତଫା ଦେବାର ଅଧିକ ସମ୍ଭାବନା ରହିଛି । ସେପଟେ ଅନାସ୍ଥା ପ୍ରସ୍ତାବ ନେଇ ଭୋଟିଂ କରିବାକୁ ନ୍ୟାସନାଲ ଆସେମ୍ଲିର ବାଚସ୍ପତି ମନାକରିଦେଇଛନ୍ତି । ସେ କହିଛନ୍ତି, ଇମ୍ରାନଙ୍କ ସହ ସେ ଧୋକା କରିପାରିବେ ନାହିଁ ।