ଅଡୁଆରେ ପାକିସ୍ତାନର ଇମ୍ରାନ ଖାନ ସରକାର । ସିନେଟ ନିର୍ବାଚନରେ ହାରିଗଲେ ଇମ୍ରାନ କ୍ୟାବିନେଟର ଅର୍ଥମନ୍ତ୍ରୀ । ବିରୋଧୀଙ୍କ ଦାବି ପଦ ଛାଡ଼ ଇମ୍ରାନ ।

205

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିକ ଅଡୁଆ ବଢ଼ିଛି । ଇମ୍ରାନଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା ଅବଦୁଲ ହଫିଜ୍ ସେଖ ସିନେଟ୍ ନିର୍ବାଚନରେ ହାରି ଯାଇଛନ୍ତି । ଆଉ ଏହାପରେ ଇମ୍ରାନ ସରକାର ବହୁମତ ହରାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଏହାସହ ଇମ୍ରାନ ଖାନ ତୁରନ୍ତ ଇସ୍ତଫା ଦେବାକୁ ବିରୋଧୀ ଦାବି କରିଛନ୍ତି । ଫଳରେ ଇମ୍ରାନ ସରକାର ଖୁବ୍ ଶୀଘ୍ର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛି । ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଇମ୍ରାନ ସରକାର ପ୍ରସ୍ତୁତି ଚଳାଇଛି । ତେବେ ପାକିସ୍ତାନ ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲିରେ କେବେ ଏହି ଆସ୍ଥା ଭୋଟ ହେବ ଜଣାପଡ଼ି ନାହିଁ ।

ପାକିସ୍ତାନ ଅର୍ଥମନ୍ତ୍ରୀ ଅବଦୁଲ ହଫିଜ୍ ସେଖ ସିନେଟ୍ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନିଙ୍କ ଠାରୁ ହାରିଯାଇଛନ୍ତି । ଗିଲାନିଙ୍କୁ ୧୧ଟି ବିରୋଧୀ ଦଳ ସମର୍ଥନ କରିଥିଲେ । ଗିଲାନିଙ୍କୁ ମୋଟ୍ ୧୭୯ଟି ଭୋଟ୍ ମିଳିଥିବା ବେଳେ ଅବଦୁଲ ହାଫିଜଙ୍କୁ ୧୬୪ଟି ଭୋଟ୍ ମିଳିଛି । ଏହି ପରାଜୟ ପରେ ନ୍ୟାସନାଲ ଆସେମ୍ବ୍ଲି ଇମ୍ରାନଙ୍କ ସରକାରର ବହୁ ମତ ଅଛି କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି । ନ୍ୟାସନାଲ ଆସେମ୍ବଲିର ମୋଟ୍ ସଦସ୍ୟ ସଂଖ୍ୟା ୩୪୨ । ଇମ୍ରାନ କ୍ଷମତାକୁ ଆସିବା ବେଳେ ତାଂକୁ ନ୍ୟାସନାଲ ଆସେମ୍ବଲିର ୧୮୦ ସାଂସଦଙ୍କ ସମର୍ଥନ ରହିଥିଲା ।

ପାକିସ୍ତାନ ସଂସଦର ଉଚ୍ଚ ସଦନ ହେଉଛି ସିନେଟ୍ । ନ୍ୟାସନାଲ ଆସେମ୍ବଲିର ସଦସ୍ୟମାନେ ସିନେଟ ସଦସ୍ୟଙ୍କୁ ନିର୍ବାଚିତ କରିଥାନ୍ତି । ତେଣୁ ଜଣେ ମନ୍ତ୍ରୀ ସିନେଟ ନିର୍ବାଚନରେ ହାରିବା ଇମ୍ରାନ ସରକାରକୁ ଝଟକା ଦେଇଛି । ପାକିସ୍ତାନ ସିନେଟରେ ମୋଟ୍ ଶହେ ଆସନ ରହିଛି । ଇମ୍ରାନଙ୍କ ତେହେରିକ-ଇ-ଇନସାଫ ପାର୍ଟିର ଏଠାରେ ୨୬ ସଦସ୍ୟ ରହିଛନ୍ତି । ସିନେଟର ସବୁ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇ ନାହିଁ । ତେବେ ତେହେରିକ-ଇ-ଇନସାଫକୁ ସିନେଟରେ ୫୦ ସିଟ୍ ମିଳିବା ସମ୍ଭାବନା ଖୁବ୍ କମ୍ ବୋଲି ଡନ୍ ଖବର କାଗଜ କହିଛି । ପ୍ରମୁଖ ବିଲ୍ ଗୁଡ଼ିକୁ ପାସ୍ କରାଇବାକୁ ଉଭୟ ନ୍ୟାସନାଲ ଆସେମ୍ବଲି ଓ ସିନେଟରେ ବହୁମତ ଆବଶ୍ୟକ । ତେଣୁ ସିନେଟ ବିରୋଧୀଙ୍କ କବଜାରେ ରହିଲେ ଏହା ଇମ୍ରାନଙ୍କ ପାଇଁ ଅଡ଼ୁଆ ବଢ଼ାଇ ପାରେ ।

ଇମ୍ରାନ ସରକାରକୁ ଏବେ ବିରୋଧୀ ନାକେଦମ୍ କରିସାରିଲେଣି । ବିରୋଧୀଙ୍କ ମିଳିତ ଆକ୍ରମଣର ସାମ୍ନାକୁ କରିବାକୁ ବହୁ ଅସୁବିଧାର ସାମ୍ନା କରୁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଏସବୁ ଭିତରେ ବିରୋଧୀମାନେ ମାର୍ଚ୍ଚ ୨୬ରେ ଇସଲାମାବାଦରେ ଏକ ବଡ଼ ଧରଣର ରାଲି କରିବାକୁ ଯାଉଛନ୍ତି । ପାକିସ୍ତାନ ମୁସଲିମ୍ ଲିଗ ଓ ପାକିସ୍ତାନ ପିପୁଲସ୍ ପାର୍ଟି ଇମ୍ରାନ ବିରୋଧରେ ଏକାଠି ହୋଇଛନ୍ତି । ପୂର୍ବରୁ ବିରୋଧୀ ମାନେ ପାକିସ୍ତାନର ବିଭିନ୍ନ ସହରରେ ମେଗା ରାଲି କରିସାରିଛନ୍ତି । ଏହି ରାଲିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ ନେତୃତ୍ୱ ନେଉଥିବା ଦେଖିବାକୁ ମିଳିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ବେନେଜେର ଭୋଟୋଙ୍କ ପୁଅ ବିଲାୱଲ ଭୋଟୋଙ୍କ ସହ ମିଶି ମରିୟମ ଏହି ରାଲି କରୁଛନ୍ତି ।