ଭାରତ ପାଇଁ ପାକିସ୍ତାନ ଏହାର ବାୟୁ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ଯୋଜନା କରୁଛି। ଏଥିସହିତ ଆଫାଗାନିସ୍ତାନକୁ ସ୍ଥଳ ଭାଗରେ ବାଣିଜ୍ୟ ମାର୍ଗକୁ ମଧ୍ୟ ପାକିସ୍ତାନ ବନ୍ଦ କରିବା ନେଇ ଚିନ୍ତା କରୁଛି। ମଙ୍ଗଳବାର ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫୱାଦ ହୁସେନ୍ ଏକ ଟ୍ବିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନ କ୍ୟାବିନେଟ୍ ବୈଠକରେ ଏ ନେଇ ପ୍ରସ୍ତାବ ରଖାଯାଇଛି। ଏହି ନିଷ୍ପତ୍ତିକୁ କାର‌୍ୟ୍ୟକାରୀ କରିବା ଲାଗି ଆଇନଗତ କାର୍ଯ୍ୟ ବିଚାରାଧୀନ ରହିଛି। ମୋଦୀ ଆରମ୍ଭ କରିଛନ୍ତି, ଆମେ ଶେଷ କରିବୁ ବୋଲି ପାକିସ୍ତାନ ମନ୍ତ୍ରୀ ହୁସେନ୍ ଟ୍ବିଟ୍ କରିଛନ୍ତି। ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସମର୍ଥନ ଜୁଟାଇ ପାରିନାହିଁ। ଏଥିରେ ବିଫଳ ହେବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଉଛି।

Advertisment

publive-image

ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଥିଲେ, ଭବିଷ୍ୟତରେ ପ୍ରତ୍ୟେକ ଅନ୍ତର୍ଜାତୀୟ ଫୋରମରେ କଶ୍ମୀର ପ୍ରସଙ୍ଗ ସେ ଉଠାଇବେ। ଉଲ୍ଲେଖଯୋଗ୍ୟ, ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟରେ ଭାରତୀୟ ବାୟୁସେନା ଆତଙ୍କବାଦୀ ଶିବିର ଧ୍ବଂସ କରିଥିଲା। ଏହାପରେ ପାକିସ୍ତାନ ଭାରତ ପାଇଁ ଏହାର ବାୟୁ ସୀମାକୁ ବନ୍ଦ କରିଦେଇଥିଲା। କିନ୍ତୁ ଗତ ଜୁଲାଇରେ ଏହି କଟକଣାକୁ ପାକିସ୍ତାନ ଉଠାଇ ଦେଇଥିଲା। ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ କଶ୍ମୀରକୁ ପ୍ରଦାନ କରାଯାଉଥିବା ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ସହିତ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି।